fbpx

କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା: ଏହି ଛକରୁ ଶ୍ରୀମନ୍ଦିର ଯାଏଁ ଗାଡ଼ି ଚଳାଚଳ ମନା

Advertisement

ଓଡିଶା ଭାସ୍କର(ପୁରୀ): ଆସନ୍ତା ୨୭ ତାରିଖ ବା ସୋମବାର ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ପ୍ରଶାସନ ପକ୍ଷରୁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଏବଂ ମହୋଦଧିରେ ଲକ୍ଷାଧିକ ଶ୍ରଦ୍ଧାଳୁ ସ୍ନାନ ଓ ବୋଇତ ବନ୍ଦାଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ସେହିପରି ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ଲାଗି ଭକ୍ତଙ୍କ ପ୍ରବଳ ଭିଡ଼ ହେବ ବୋଲି ଅନୁମାନ କରାଯାଉଛି । ଯାହାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ଯାତାୟାତ ସୁବିଧା ଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି। ତେବେ ଏହି କାର୍ୟ୍ୟରେ ୩୯ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ସୂଚନା ମିଳିଛି। ଯେଉଁଥିରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ୬ ଜଣ ଅତିରିକ୍ତ ଏସ୍‌ପି ଓ ଡେପୁଟି କମାଣ୍ଟାଣ୍ଟ, ୧୮ ଡିଏସ୍‌ପି ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୩୨ ଜଣ ଇନ୍ସପେକ୍ଟର ଓ ସବ୍‌ ଇନ୍ସପେକ୍ଟର, ୧୩୨ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୧୯ ଜଣ ହାବିଲଦାର, ୧୬୭ ଜଣ କନଷ୍ଟେବଳ, ୫୪ ଜଣ ଟ୍ରାଫିକ କନଷ୍ଟେବଳ, ୪୩୨ ଜଣ ହୋମ୍‌ଗାର୍ଡ ନିୟୋଜିତ ହେବେ । ସମୁଦ୍ରକୂଳରେ ୪୦ ଜଣ ହୋମ୍‌ଗାର୍ଡ ରହିବେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ତେବେ ଆସନ୍ତାକାଲି ବା ରବିବାର ଏବଂ ସୋମବାର ଲାଗି ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ପୋଲିସ ବିଭାଗ । ସମୁଦ୍ରକୂଳ, ନରେନ୍ଦ୍ର ପୁଷ୍କରିଣୀ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡେୟ ପ୍ରଭୃତି ତୀର୍ଥ ପୁଷ୍କରିଣୀରେ ଫୋର୍ସ ମୁତୟନ ରହିବେ । ସେହିପରି ମାର୍କେଟ ଛକରୁ ଶ୍ରୀମନ୍ଦିର ପର୍ୟ୍ୟନ୍ତ ଗାଡ଼ି ଚଳାଚଳ ଉପରେ କଟକଣା ରହିବ। କିନ୍ତୁ ଜରୁରୀ ସେବାରେ ନିୟୋଜିତ ଯେପରି କି, ଆମ୍ବୁଲାନ୍ସ, ଅଗ୍ନିଶମ ଗାଡି ଓ ଗଣମାଧ୍ୟମ ଗାଡ଼ି ଚଳାଚଳ ଉପରେ କଟକଣା ରହିବ ନାହିଁ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.