ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଶୀତଦିନ ଆରମ୍ଭ ହୋଇଯାଇଥିବା ବେଳେ ରାତିରେ କୁହୁଡ଼ି କାରଣରୁ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଥାଏ । ରାସ୍ତାରେ କୁହୁଡ଼ି ରହିଥିବାରୁ ଅନେକ ସମୟରେ ଆଗକୁ କିଛି ଦୃଶ୍ୟମାନ ହୋଇନଥାଏ । ଫଳରେ ତାହା ଗାଡ଼ି ଦୁର୍ଘଟଣାର କାରଣ ସାଜିଥାଏ । ତେଣୁ ବିଳମ୍ବିତ ରାତି ଓ ଭୋର ସମୟରେ ଦୁର୍ଘଟଣା ଏଡ଼ାଇବାକୁ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ପକ୍ଷରୁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଚାଳକଙ୍କୁ ସତେଜ ଓ ସଚେତନ କରିବାକୁ ରାଜପଥ କଡ଼ରେ ମାଗଣା ଚା’ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାତି ୩ଟାରୁ ଭୋର ୬ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ରାଜପଥ କଡ଼ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।
ଏନେଇ ପରିବହନ ବିଭାଗ ପକ୍ଷରୁ ରାଜପଥ କଡ଼ରେ ରହିଥିବା ଢାବା, ଟୋଲଟେ ଭଳି ସ୍ଥାନକୁ ଚିହ୍ନଟ କରାଯାଇ ଦୂର ସ୍ଥାନରୁ ଆସୁଥିବା ବସ୍ ଟ୍ରକ ଓ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ମାଗଣା ଚା’ ଦିଆଯାଉଛି । କୁହୁଡ଼ି ବହୁଥିବାରୁ ରାସ୍ତାରେ ଗାଡ଼ି ଚଳାଇବା ସମ୍ଭବ ହେଉନଥିବାରୁ ଦୁର୍ଘଟଣା ମାନ ଘଟୁଛି । ତେଣୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମାଗଣା ଚା’ ବଣ୍ଟନ କରାଯିବା ସହ ରାସ୍ତାରେ ରହିଥିବା ବ୍ଲାକସ୍ପଟ ସମ୍ପର୍କରେ ଅବଗତ କରାଯାଇଛି । ଆରଟିଓ କାର୍ଯ୍ୟାଳୟ ଅଧିକାରୀ, କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ବ୍ୟାନର ଲଗାଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଆସନ୍ତା ୩୧ ପର୍ଯ୍ୟନ୍ତ ଏହି ପ୍ରୟାସ ଜାରି ରଖିବାକୁ ସମସ୍ତ ଆରଟିଓଙ୍କୁ ଏସଟିଏ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।