fbpx

୬ ସପ୍ତାହ ମଧ୍ୟରେ ନିର୍ବାଚନ କରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଭୋଟ ଦେବାରୁ ବାଦ୍ ପଡ଼ିବେ ବାର୍ କାଉନସିଲର ୧୭ ହଜାର ଓକିଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ବାର କାଉନସିଲରେ ଓକିଲ ଭାବେ ପଞ୍ଜୀକୃତ ହୋଇ ଅନେକ ଲାଇସେନ୍ସ ପାଇଛନ୍ତି । ମାତ୍ର ସେମାନଙ୍କ ମଧ୍ୟରୁ ଅନେକ ଅଦାଲତରେ ଓକିଲାତି ପ୍ରାକ୍ଟିସ୍ କରୁନାହାନ୍ତି । ତେବେ ସମଗ୍ର ରାଜ୍ୟରେ ପ୍ରାୟ ୧୭ ହଜାର ଓକିଲଙ୍କୁ ଚିହ୍ନଟ କରିଛି ରାଜ୍ୟ ବାର କାଉନସିଲ୍ । ଏହି ଓକିଲମାନେ ଆଗାମୀ ବାର୍ କାଉନସିଲ ନିର୍ବାଚନରେ ଭାଗ ନେଇପାରିବେ ନାହିଁ । ବାର କାଉନସିଲରେ ପ୍ରାୟ ୫୨ ହଜାର ପଞ୍ଜୀକୃତ ହୋଇଥିବା ବେଳେ କାଉନସିଲ ନିର୍ବାଚନରେ ପ୍ରାୟ ୩୫ ହଜାର ଆଇନଜୀବୀ ଭାଗ ନେବେ ବୋଲି ଜଣାପଡ଼ିଛି ।

ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ପରେ ଏବେ ରାଜ୍ୟ ବାର କାଉନସିଲ ନିର୍ବାଚନ ପାଇଁ ତତ୍ପରତା ପ୍ରକାଶ ପାଇଛି । ନିର୍ବାଚନ ପରିଚାଳନା ପାଇଁ ଜଣେ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହେବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ବାର କାଉନସିଲକୁ ୨୫ ଜଣ ସଦସ୍ୟ ନିର୍ବାଚିତ ହେବାକୁ ଥିବା ବେଳେ ରାଜ୍ୟର ପ୍ରାୟ ୧୮୪ଟି ବାର ଆସୋସିଏସନର ସଦସ୍ୟ ଏଥିରେ ଭାଗ ନେବେ । ଏମାନେ ନିର୍ବାଚିତ ହେବା ପରେ ସେମାନେ ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ଭାରତୀୟ ଆଇନଜୀବୀ ପରିଷଦକୁ ଜଣେ ଲେଖାଏଁ ସଦସ୍ୟଙ୍କୁ ନିର୍ବାଚିତ କରିବେ । ବହୁ ଓକିଲ ପଞ୍ଜୀକୃତ ହୋଇ ଓକିଲାତି କରୁନଥିବାରୁ ଏହାର ଯାଞ୍ଚ ପାଇଁ ଭାରତୀୟ ଆଇନଜୀବୀ ପରିଷଦ ରାଜ୍ୟ ବାର କାଉନସିଲକୁ ନିର୍ଦ୍ଦେଶ ଦେଇଥିଲା । ଏପରିକି ପ୍ରତ୍ୟେକ ବାରର ଆଇନଜୀବୀଙ୍କ ସାର୍ଟିଫିକେଟ ତଦାରଖ କରିବାକୁ କହିଥିଲା । ଏହା ଯାଞ୍ଚ ଆରମ୍ଭ କରାଯାଇ ୧୭ ହଜାର ନନ-ପ୍ରାକ୍ଟିସ୍ ଓକିଲଙ୍କୁ ଚିହ୍ନଟ କରାଯାଇଥିଲା । ୬ ସପ୍ତାହ ମଧ୍ୟରେ ନିର୍ବାଚନ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.