fbpx

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ପ୍ରତି ମାସରେ ହେବ ଡାକ୍ତର ପଦ ପାଇଁ ସାକ୍ଷାତକାର, ବିଜ୍ଞପ୍ତି ଜାରି କଲା ସ୍ୱାସ୍ଥ୍ୟ ବିଭାଗ

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରାଜ୍ୟରେ ଆଉ ଡାକ୍ତରଙ୍କ ଅଭାବ ରହିବ ନାହିଁ । ରାଜ୍ୟରୁ ଡାକ୍ତର ଅଭାବ ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ପ୍ରତି ମାସରେ ଡାକ୍ତର ପଦ ପାଇଁ ସାକ୍ଷାତକାର ଆୟୋଜନ କରାଯିବ । ସେଥିପାଇଁ ପ୍ରତି ମାସର ୧୨ ତାରିଖକୁ ସାକ୍ଷାତକାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ସାକ୍ଷାତକାର ମାଧ୍ୟମରେ କନିଷ୍ଠ ରେସିଡେଣ୍ଟ, ବରିଷ୍ଠ ରେସିଡେଣ୍ଟ, ଟ୍ୟୁଟର, ସହକାରୀ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ । ରାଜ୍ୟ ଓ ଅନୁଷ୍ଠାନ ସ୍ତରରେ ସାକ୍ଷାତକାର ଓ କାଉନସେଲିଂ ଆୟୋଜନ କରାଯିବ । ପ୍ରାର୍ଥୀଙ୍କୁ ଚୁକ୍ତିଭିତ୍ତିକ କିମ୍ବା ଡେପୁଟେସନ ଭିତ୍ତିରେ ନିଯୁକ୍ତି ଦିଆଯିବ । ରାଜ୍ୟର ସମସ୍ତ ମେଡିକାଲ କଲେଜ, ମେଡିକାଲ ଶିକ୍ଷା ଓ ଗବେଷଣାର ସ୍ନାତକୋତ୍ତର ଅନୁଷ୍ଠାନ (ପିଜିଆଇଏମଇଆର) କ୍ୟାପିଟାଲ ହସ୍ପିଟାଲ, ଏସସିବି ଡେଣ୍ଟାଲ କଲେଜରେ ଏହି ନିଯୁକ୍ତି ପ୍ରକ୍ରିୟା ପରିଚାଳିତ ହେବ ।

ରାଜ୍ୟରେ ଖାଲି ଥିବା ବିଭିନ୍ନ ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ନେଇ ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ (ଡିଏମଇଟି) ଏହି ପଦକ୍ଷେପ ଗ୍ରହଣ କରିବ । ସେଥିପାଇଁ ପ୍ରତି ମାସ ୨୫ ତାରିଖରେ ଡିଏମଇଟଇ ପକ୍ଷରୁ ସାକ୍ଷାତକାର / କାଉସେଲିଂର ଆୟୋଜନ କରାଯିବ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଡାକ୍ତର ଅଭାବ ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ନିୟମିତ ଭାବେ ପ୍ରୟାସ ଜାରି ରଖିଛନ୍ତି । ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ଗଠନ ଲକ୍ଷ୍ୟରେ ଗତବର୍ଷ ରାଜ୍ୟ ସରକାର ଓଡ଼ିଶା ମେଡିକାଲ ଆଣ୍ଡ ହେଲଥ୍ ସର୍ଭିସେସ (ଓଏମଏଚସି) କ୍ୟାଡରରେ ୫ ହଜାର ନୂଆ ଡାକ୍ତର ପଦ ସୃଷ୍ଟି କରିଥିଲେ ।

Get real time updates directly on you device, subscribe now.