ବଢି ଚାଲିଛି ପଞ୍ଜିକରଣ ହେଲେ ମିଳୁନି ନିଯୁକ୍ତି, ଚାକିରି ଅପେକ୍ଷାରେ 12 ଲକ୍ଷ ଆଶାୟୀ

ଭୁବନେଶ୍ବର: ଓଡିଶାରେ ଉତ୍କଟ ଚାକିରି ସମସ୍ୟା । ଓଡିଶାର କର୍ମ ନିୟୋଜନ ପୋର୍ଟାଲରେ 12 ଲକ୍ଷ ପଞ୍ଜିକରଣ କରିଥିଲେ ହେଁ ସେମାନଙ୍କ ମଧ୍ୟରୁ ମାତ୍ର 2 ହଜାର 274 ଜଣଙ୍କୁ ନିଯୁକ୍ତି ମିଳିଛି । ଆଜି ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ବଦ ସ୍ବାଇଁ । ସେହିପରି 15 ଲକ୍ଷଙ୍କୁ ତାଲିମ ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର 1 ଲକ୍ଷ ନିଯୁକ୍ତି ପାଇଛନ୍ତି ।

ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, 10 ବର୍ଷରେ ରାଜ୍ୟ ସରକାର 18 ଲକ୍ଷ 42 ହଜାର 67ଜଣଙ୍କୁ ତାଲିମ ଦେଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ କେବଳ 1 ଲକ୍ଷ 5 ହଜାର 444 ଜଣଙ୍କୁ ହିଁ ଚାକିରି ଦିଆଯାଇଛି । ସେହିପରି ବିଗତ ସରକାରରେ ନିଯୁକ୍ତି ମେଳାର ମଧ୍ୟ ଆୟୋଜନ କରାଯାଇଥିଲା । କିନ୍ତୁ ବିଗତ 5 ବର୍ଷରେ କେବଳ 1 ଲକ୍ଷ 54 ହଜାର 44ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । ସରକାର 226ଟି ନିଯୁକ୍ତି ମେଳା ଆୟୋଜନ କରିଥିବା ବେଳେ ସରକାର 3 କୋଟି 80 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଜରିଆରେ ବିଗତ ପାଞ୍ଚ ବର୍ଷରେ ୩୬ ହାଜର ୩୨୯ ଜଣ ଯୁବକ ଯୁବତୀଙ୍କୁ ତାଲିମ ଦିଆଯାଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ୧୫ ହଜାର ୩୮ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଖର୍ଚ୍ଚ ମୋଟା ଅଙ୍କର ହେଉଥିଲେ ହେଁ ସେହି କ୍ରମରେ ନିଯୁକ୍ତି ମିଳିପାରୁ ନାହିଁ । ଏହି ତଥ୍ୟ ପ୍ରମାଣ କରୁଛି ଯେ, ଆମ ରାଜ୍ୟରେ ବେକାରୀ ସମସ୍ୟା ମୁଣ୍ଡ ଟେକିବାରେ ଲାଗିଛି ।