fbpx
BJD SKY
BJD SKY

ମେମୁ ଟ୍ରେନ୍ ଘଟଣା: ଷ୍ଟେସନ ମାଷ୍ଟର ଓ ପଏଣ୍ଟସମ୍ୟାନଙ୍କୁ ସସପେଣ୍ଡ କଲେ DRM

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ଭଦ୍ରକରୁ ବାଲେଶ୍ୱର ଯିବା ସମୟରେ ମେମୁ ଟ୍ରେନ ନୀଳଗିରି ରୋଡ଼ ବରୁଣସିଂ ନିକଟରେ ଅଳ୍ପକେ ଦୁର୍ଘଟଣାରୁ ବଞ୍ଚି ଯାଇଥିଲା । ଲୁପ ଲାଇନ ଭିତରୁ ପଶିଯାଇଥିଲା ମେମୁ ଟ୍ରେନ । ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ହଜାର ହଜାର ଯାତ୍ରୀଙ୍କର ଜୀବନ ବଞ୍ଚି ଯାଇଥିଲା । ଏହି ଘଟଣା ପରେ ବାଲେଶ୍ୱରଠାରେ ଯାତ୍ରୀମାନେ ଲୋକ ପାଇଲଟଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ତେବେ ଲୁପ ଲାଇନରେ ମେମୁ ଟ୍ରେନ ପଶିବା ଘଟଣାରେ ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆରଏମ) ତ୍ୱରିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଘଟଣାରେ ଷ୍ଟେସନ ମାଷ୍ଟର ଓ ପଏଣ୍ଟସମ୍ୟାନଙ୍କୁ କାର୍ଯ୍ୟରୁ ସସପେଣ୍ଡ କରାଯାଇଛି । ଦୁଇ କର୍ମଚାରୀଙ୍କୁ ଘଟଣା ବାବଦରେ ପ୍ରଥମ ପଚରାଉଚରା ଯାଇଥିଲା ଓ ତା’ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିସହିତ ଅଧିକ ଅନୁସନ୍ଧାନ ପାଇଁ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ଜୁନ୍ ମାସ ୨ ତାରିଖ ସନ୍ଧ୍ୟାରେ ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ସହିତ ଶତାଧିକ ଆହତ ହୋଇଥିଲେ । ଉକ୍ତ ଘଟଣାକୁ ଆଜି ପର୍ଯ୍ୟନ୍ତ ଲୋକମାନେ ଭୁଲିନଥିବା ବେଳେ ପୁଣି ଥରେ ଲୋକଙ୍କର ପୁରୁଣା ଯନ୍ତ୍ରଣା ଉଜ୍ଜୀବିତ ହୋଇଯାଇଛି । ଆଗକୁ କିପରି ଟ୍ରେନ ଦୁର୍ଘଟଣା ନ ଘଟିବ ସେଥିନେଇ ରେଳବାଇ ପକ୍ଷରୁ ପ୍ରସ୍ତୁତି ଚାଲିଛି । ତେଣୁ ଗତକାଲିର ଘଟଣା ପାଇଁ ଦୁଇ ଜଣ କର୍ମଚାରୀଙ୍କୁ ସସପେଣ୍ଡ କରିଦିଆଯାଇଛି ।

Get real time updates directly on you device, subscribe now.