fbpx

ପିଲାମାନଙ୍କର ଆତ୍ମବିଶ୍ୱାସ କମ କରିଥାଏ ମାତା ପିତାଙ୍କର ଏହି ପରି କଥା: କ’ଣ ଆପଣ କରୁଛନ୍ତି କି ସମାନ ଭୁଲ?

ପ୍ରତ୍ୟେକ ପିତାମାତା ଚାହିଁଥାନ୍ତି ତାଙ୍କ ପିଲାମାନେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ଜୀବନରେ ଆଗକୁ ବଢ଼ି ସଫଳତା ହାସଲ କରନ୍ତୁ । ଏଥି ପାଇଁ ସେମାନେ ପିଲାମାନଙ୍କୁ ନେଇ ଅନେକ ପରିଶ୍ରମ କରିଥାନ୍ତି । ପିଲାମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ମାତା ପିତା ପିଲାମାନଙ୍କର ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେଇଥାନ୍ତି । ତେବେ ଏତେ ଧ୍ୟାନ ଦେବା ସତ୍ତେ୍ୱ ଅଜାଣତରେ ପିଲାମାନଙ୍କୁ ଏପରି କିଛି କହି ଦେଇଥାନ୍ତି ଯାହା ପିଲାମାନଙ୍କର କନଫିଡେନ୍ସକୁ ବଢ଼ାଇବା ସ୍ଥାନରେ କମ କରିଥାଏ । ତେବେ ପିଲାମାନଙ୍କୁ ବଡ଼ କରାିବା ସମୟରେ କିଛି ବିଶେଷ କଥା ରହିଛି ଯାହା କରିବା ଦ୍ୱାରା ଆପଣଙ୍କ ପିଲାର ଆତ୍ମବିଶ୍ୱାସ ଉପରେ ବେଶ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା କ’ଣ ରହିଛି ଯାହା ପିଲାମାନଙ୍କ ଆତ୍ମବିଶ୍ୱାସ ଉପରେ ନକାରାତ୍ମକ ପ୍ରଭାବ ପକାଇଛି ।

ଶାରିରୀକ ଗଠନ- ପିଲାମାନେ ସବୁଠାରୁ ଅଧିକ ମାତା ପିତାଙ୍କ ସହିତ କମଫର୍ଟେବଲ ହୋଇଥାନ୍ତି । ତେବେ ଏହା ଏକ ମୁଖ୍ୟ କାରଣ ହୋଇଥାଏ ଯେ ମଜାରେ କହିଥିବା ଛୋଟ ଛୋଟ କଥା ମଧ୍ୟ ସେମାନଙ୍କୁ ଖରାପ ଲାଗିପାରେ । କିନ୍ତୁ ଯେବେ ପ୍ୟାରେଣ୍ଟସ୍ ପିଲାର ଶାରିରୀକ ଗଠନ ଯେପରିକି ରଙ୍ଗ, ଉଚ୍ଚତା, ଓଜନ ବିଷୟରେ ପିଲାର ସାଙ୍ଗମାନେ କିମ୍ବା କୌଣସି ବାହାର ଲୋକଙ୍କ ଆଗରେ କଥା ହେବା ଦ୍ୱାରା ପିଲାମାନଙ୍କ ଆତ୍ମବିଶ୍ୱାସ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।

ପାଠ ପଢ଼ାକୁ ନେଇ ଅପମାନ ଦେବା- ପିଲାମାନଙ୍କୁ ତାଙ୍କ ପାଠ ପଢ଼ାକୁ ନେଇ ଅପମାନ ଦେଉଥିବା ପିତାମାତା ଏହା ଭୁଲିଯାଆନ୍ତି ଯେ ଏପରି କରିବା ଦ୍ୱାରା ପିଲାର ଆତ୍ମବିଶ୍ୱାସ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥାଏ । କ୍ଲାସରେ ଭଲ ପାଠ ପଢ଼ୁଥିବା ପିଲାମାନଙ୍କ ସହିତ ସେମାନଙ୍କର ତୁଳନା କରିବା ସବୁଠାରୁ ଖରାପ ହୋଇଥାଏ । ଏହା ଦ୍ୱାରା ପିଲାର ନିଜ ଉପରେ ବିଶ୍ୱାସ ହରାଇଥାଏ ।

ଭାବପ୍ରବଣ ହେବା ପାଇଁ ପରିହାସ କରିବା- ଅନେକ ସମୟରେ ମାତା ପିତା କାନ୍ଦୁଥିବା ସମୟରେ ପୁଅକୁ ଅଟକାଇ ଦେଇଥାନ୍ତି । ଏପରିକି ସେମାନଙ୍କୁ ଏହା ମଧ୍ୟ କହିଥାନ୍ତି ଯେ କାନ୍ଦିବା ଝିଅମାନଙ୍କର ଲକ୍ଷଣ ଏବଂ ପୁଅମାନେ କାନ୍ଦନ୍ତି ନାହିଁ । ତେବେ ଏପରି କହିବା ଦ୍ୱାରା ଆପଣ ଖୁବ କମ ବୟସରୁ ଆପଣଙ୍କ ପିଲା ମନରେ ଲିଙ୍ଗଗତ ରୂଢ଼ିବାଦିତାକୁ ମଜବୁତ କରୁଛନ୍ତି । ଏହା ଦ୍ୱାରା ଆପଣ ଆପଣଙ୍କ ପିଲା ମୁଣ୍ଡରେ ଝିଅମାନେ ଦୁର୍ବଳ ଏବଂ ପୁଅମାନେ କେବେ ଭାବପ୍ରବଣ ହେବା ଉଚିତ ନୁହେଁ ବୋଲି ମାନସିକତାକୁ ବଢ଼ିବାକୁ ଦେଉଛନ୍ତି । ତେବେ ଏହା ଦ୍ୱାରା ମଧ୍ୟ ଆପଣଙ୍କ ପିଲାର ଆତ୍ମବିଶ୍ୱାସ ଦୁର୍ବଳ ହୋଇଥାଏ ।

ଖାଇବାକୁ ନେଇ ଅପମାନଜନକ କଥା କହିବା- ଅନେକ ସମୟରେ ପିତା ମାତା ପିଲାକୁ ମୋଟା ହେବା ଭୟରେ ଅନେକ କିଛି ଖାଇବା ଉପରେ ରୋକ ଲଗାଇଥାନ୍ତି । କିନ୍ତୁ ପିଲାମାନେ ଦିନ ସାରା ଖେଳକୁଦ କରିବା କାରଣରୁ ତାଙ୍କୁ ବାରମ୍ବାର ଭୋକ ଲାଗିଥାଏ । ତେବେ ଏପରି ସ୍ଥିତିରେ ଯଦି ଆପଣଙ୍କ ପିଲା କିଛି ଖାଇବାକୁ ମାଗୁଛି ତେବେ ତା’କୁ ହେଲ୍ଦି ଖାଦ୍ୟ ଯେପରିକି ଫଳ, କ୍ଷୀର,ଡ୍ରାଏଫ୍ରୁଟ୍ସ ଆଦି ଖାଇବାକୁ ଦିଅନ୍ତୁ । ଏଥି ପାଇଁ ଡାକ୍ତରଙ୍କ ସହିତ ପରାମର୍ଶ ମଧ୍ୟ କରନ୍ତୁ । କିନ୍ତୁ ପିଲାମାନଙ୍କୁ ଖାଇବାରୁ ଅଟକାନ୍ତୁ ନାହିଁ କିମ୍ବା ଏହାକୁ ନେଇ କୌଣସି ଅପମାନଜନକ ଟିପ୍ପଣୀ ଦିଅନ୍ତୁ ନାହିଁ । ଏହା ଦ୍ୱାରା ପିଲାର ଆତ୍ମବିଶ୍ୱାସ କମିଥାଏ ।

ବିପରୀତ ଲିଙ୍ଗ ସହ ବନ୍ଧୁତା କରିବା ନେଇ ପରିହାସ କରିବା- କୌଣସି ଝିଅ କିମ୍ବା ପୁଅ ସହ ଆପଣଙ୍କ ପୁଅ ବା ଜିଅର ବନ୍ଧୁତାକୁ ନେଇ ପିଲାମାନଙ୍କୁ ପରିହାସ କରନ୍ତୁ ନାହିଁ । ଅନେକ ସମୟରେ ପିତାମାତାଙ୍କୁ ଏଭଳି କରୁଥିବାର ଦେଖାଯାଇଥାଏ । କିନ୍ତୁ ଏହା ପରିହାସ କରିବାର ବିଷୟ ନୁହେଁ । ପିଲାମାନଙ୍କୁ ସେମାନଙ୍କର ମନ ପସନ୍ଦର ସାଙ୍ଗବନାଇବାକୁ ଦିଅନ୍ତୁ । ନଚେତ ବାରମ୍ବାର ସେମାନଙ୍କର ଉପହାସ କରିବା ଦ୍ୱାରା ସେମାନେ ଧୀରେ ଧୀରେ ଆତ୍ମବିଶ୍ୱାସ ହରାଇ ବସନ୍ତି ।

Get real time updates directly on you device, subscribe now.