(video) ଭୟଙ୍କର କାଳବୈଶାଖୀ, ଘର ଛପର ସହ ଉଡ଼ିଗଲେ ୨ ଛୁଆ

ଘର ଭିତରୁ ଛପର ସହ ଦୁଇ ପିଲାଙ୍କୁ ଉଡ଼ାଇ ନେଲା କାଳବୈଶାଖୀ।

ମଧ୍ୟପ୍ରଦେଶ:  ଏବେ ପ୍ରାୟ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିବାରେ ଲାଗିଛି। କେଉଁଠି ରାସ୍ତା ଉପରେ ଗଛ ପଡ଼ି ରାସ୍ତା ବନ୍ଦ ହୋଇଯାଉଛି, ତ ଆଉ କେଉଁଠି ଘରର ଛପର ଉଡିଯିବା ସହ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଉଛି।

ହେଲେ ଏବେ ଏହି କାଳବୈଶାଖୀ ଏପରି ତାଣ୍ଡବ ରଚିଛି ଏବଂ ଏତେ କ୍ଷୀପ୍ର ବେଗରେ ପବନ ବହିଛି ଯେ, ଘରର ଛପର ସହ ଘରେ ଥିବା ୨ ଛୁଆଙ୍କୁ ମଧ୍ୟ ଉଡ଼ାଇ ନେଇଛି। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କାଳବୈଶାଖୀ ତାଣ୍ଡବ: ହଁ ଆପଣମାନେ ତ କାଳବୈଶାଖୀର ତାଣ୍ଡବ ଦେଖିଥିବେ। ହଠାତ୍ କଳାହାଣ୍ଡିଆ ମେଘ ଘୋଟିଆସେ, ବର୍ଷା ହୁଏ ଅଚାନକ ପବନ ମଧ୍ୟ ବହେ। ଆଉ ଘଡଘଡ଼ି ସହ ବିଜୁଳି ମଧ୍ୟ ଅନେକ ଲୋକଙ୍କ ଜୀବନ ନିଏ।

ହେଲେ ଏହି କାଳବୈଶାଖୀ ଯେ, ଏତେ ଭୟଙ୍କର ହୋଇପାରେ ଏହି ଭିଡ଼ିଓ ଦେଖିଲେ ଆପଣମାନେ ଅନୁମାନ କରିପାରିବେ। ନହେଲେ ଏହି ଘଟଣାଟି ଆପଣଙ୍କୁ ସମ୍ପୂର୍ଣ୍ଣ ମିଛ ଭଳି ଲାଗିବ। କାରଣ କାଳବୈଶାଖୀରେ ଛୁଆ ଉଡ଼ିଯିବା ଘଟଣା ବୋଧହୁଏ ଆପଣମାନେ ଆଗରୁ କେବେ ଶୁଣିନଥିବେ।

ଉଡିଗଲେ ଛୁଆ: ଏପରି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଭୋପାଳ ଅଞ୍ଚଳରୁ। ଯେଉଁଠି ପ୍ରବଳ ବର୍ଷା ପବନ ମାଡି ଆସିବା ପରେ ସମସ୍ତେ ଘର ଭିତରକୁ ପଶିଯାଇଥିଲେ । କିଏ କୋଠା ଘରେ ରହିଥିଲା ତ କିଏ ଛପର ଘରେ।

ବର୍ଷା ଦାଉରୁ ସିନା ଛପର ଘର ବଞ୍ଚାଇଦେଲା ହେଲେ ପ୍ରବଳ ପବନ ଓ ଭୟଙ୍କର ଝଡତୋଫାନ ଆଗରେ କାମ ଦେଲାନି ଛପର। ଝଡତୋଫାନର ଗୋଟେ  ଜୋରଦାର ଝଟକାରେ ଉଡିଗଲା ପଲିଥିନ ପକା ଛପର।

ଆଉ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ପଲିଥିନ ଛପର ସହ ଘରେ ଥିବା ଦୁଇ ଛୁଆ ମଧ୍ୟ ଉଡ଼ିଗଲେ। ଯାହାର ଭିଡ଼ିଓ ମଧ୍ୟ ଏବେ ସାମ୍ନାକୁ ଆସିଛି।  ପ୍ରବଳ ବର୍ଷା ପବନ ହେବାରୁ ଦୁଇଟି ପିଲା ପଲିଥିନ ପକା ଦୋକାନ ଘରେ ଥିଲେ।

ଆଉ ଛପରକୁ ଜାବୁଡି ଧରିଥିଲେ, ମାତ୍ର ପବନର ବେଗ ଏତେ ଥିଲା ଯେ, ଛପର ସହ ସେମାନଙ୍କୁ ବି ଉଡେଇ ନେଇ ଦୂରରେ ପକାଇଦେଲା। ମଧ୍ୟପ୍ରଦେଶ ସାଗର ଜିଲ୍ଲାରୁ ଏହି ଭୟଙ୍କର ଦୃଶ୍ୟ ଆସିଥିବା ବେଳେ ଦୁଇ ଜଣ ଛୁଆ ଏବେ ସୁସ୍ଥ ଅଛନ୍ତି।