ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ନଭେମ୍ବର ୨୪ରେ ଆସିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ‘ସୁଭଦ୍ରା’କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ୨୪ ତାରିଖରେ ‘ସୁଭଦ୍ରା’ ଯୋଜନାର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଆସିବ । ରାଜ୍ୟରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀଙ୍କୁ ତୃତୀୟ ପର୍ଯ୍ୟାୟରେ ଏହି ଅର୍ଥରାଶି ମିଳିବ । ଏନେଇ ସମସ୍ତ ଯାଞ୍ଚ ପ୍ରକ୍ରିୟା ସମାପ୍ତ ହୋଇଛି । ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ଏକ ବଡ଼ ସୂଚନା ଦେଇଛନ୍ତି । ଏଥିସହିତ ଏହି ଯୋଜନାରୁ ବାଦ୍ ପଡ଼ିଥିବା ୨.୬୭ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ସରକାର ବିଚାର କରୁଥିବା ଜଣାପଡ଼ିଛି ।

ଆସନ୍ତା ୨୪ ତାରିଖରେ ୨୦ ଲକ୍ଷ ମହିଳା ସୁଭଦ୍ରା ଅର୍ଥରାଶି ପାଇବେ । ଏନେଇ ସୁନ୍ଦରଗଡ଼ ଜିଲ୍ଲାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ସେହି ଅବସରରେ ଏହି ଟଙ୍କା ପ୍ରଦାନ କରାଯିବ । ଏହା ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ମୋଟ ୬୦ ଲକ୍ଷ ୨୭ ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇଥିଲା । ଏଥର ମିଶିଲେ ଏହି ସଂଖ୍ୟା ୮୦ ଲକ୍ଷ ଟପିଯିବ । ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ଏହି ଅର୍ଥ ମିଳିବ । ଦେବେ ବାଦ୍ ପଡ଼ିଥିଲା ୨.୬୭ ହିତାଧିକାରୀଙ୍କୁ ସାମିଲ ପାଇଁ ଆଜି ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଆବେଦନକାରୀଙ୍କ ସଂଖ୍ୟା ୧.୧୬ କୋଟିରେ ପହଞ୍ଚିସାରିଲାଣି । ଜାନୁଆରୀ ଓ ଫେବୃଆରୀ ମାସରେ ଯେଉଁମାନେ ଆବେଦନ କରିବେ ସେମାନେ ମାର୍ଚ୍ଚ ୮ରେ ଏକସଙ୍ଗେ ଦୁଇଟି କିସ୍ତି ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ।