fbpx

ପୁରୁଷ ଜାଭେଲିନ ଥ୍ରୋ F64 ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ: ସୁମିତ ଅନ୍ତିଲଙ୍କ ନୂଆ ବିଶ୍ୱ ରେକର୍ଡ

Advertisement

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ତୃତୀୟ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଓ ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୩୪ରେ ପହଞ୍ଚିଥିବା ବେଳେ ସେଥି ମଧ୍ୟରେ ୯ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

ତେବେ ଏହା ମଧ୍ୟରେ ଆଜି ଭାରତ ୩ଟି ପଦକ ଜିତିଛି । ପୁରୁଷ ଜାଭେଲିନ୍ ଥ୍ରୋ ଏଫ୬୪ ଇଭେଣ୍ଟରେ ସୁମିତ ଅନ୍ତିଲ ସ୍ୱର୍ଣ୍ଣ ପଦକ ଜିତିବା ସହିତ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ନିଜର ତୃତୀୟ ପ୍ରୟାସରେ ସୁମିତ ୭୩.୨୯ ମିଟର ଥ୍ରୋ କରିଥିଲେ । ଏହାଦ୍ୱାରା ନିଜର ପୂର୍ବ ରେକର୍ଡ ୭୦.୮୩ ମିଟର ରେକର୍ଡକୁ ଭାଙ୍ଗିଥିଲେ । ଭାରତର ପୁଷ୍ପେନ୍ଦ୍ର ସିଂହ ମଧ୍ୟ ଏହି ଇଭେଣ୍ଟରେ ୬୨.୦୬ ମିଟର ଥ୍ରୋ କରି ବ୍ରୋଞ୍ଜ ପଦକ ଜିତିଛନ୍ତି ।

ହରିୟାଣାର ୨୫ ବର୍ଷୀୟ ଯୁବକ ସୁମିତ ଏହା ପୂର୍ବରୁ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିୟନଶିପରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଗତ ଏସୀୟ କ୍ରୀଡ଼ାରେ ସେ ରୌପ୍ୟ ପଦକ ଜିତିଥିବା ବେଳେ ଦୁଇଟି ସଂସ୍କରଣରେ ଦୁଇଟି ପଦକ ଜିତିଛନ୍ତି । ମୋଟ ୬ ଜଣ ଆଥଲେଟ ଜାଭେଲିନ ଥୋ’ରେ ଅଂଶଗ୍ରହଣ କରିଥିବା ବେଳେ ସୁମିତ ଚତୁର୍ଥ ପ୍ରୟାସରେ ୬୧.୮୪ ମିଟର ଥ୍ରୋ କରିଥିଲେ । ଶ୍ରୀଲଙ୍କାର ଆରାଚଚିଗେ ସମିଥା ଏହି ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ । ସେହିପରି ଭାରତର ଭବିନା ପଟେଲ ମହିଳା ସିଙ୍ଗଲସ ଟେବୁଲ ଟେନିସ କ୍ଲାସ ୪ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହାଫଳରେ ଭାରତର ମୋଟ ପଦକ ସଂଖ୍ୟା ୩୭ରେ ପହଞ୍ଚିଛି ।

Get real time updates directly on you device, subscribe now.