ଓଡ଼ିଶା ଭାସ୍କର: ଓଡ଼ିଆ ସିନେ ଜଗତର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର । ‘ପୁଚୁକି ଗାଲି, ଫେସନ ବାଲି…’ ଗୀତରେ ସାରା ଓଡ଼ିଶାରେ ସିଦ୍ଧାନ୍ତ ପାଇଥିଲେ ସୁପରଷ୍ଟାରର ନୂଆ ପରିଚୟ । ୧୯୯୫ ମସିହାରେ ରିଲିଜ ହୋଇଥିବା ‘ସୁନା ପଞ୍ଜୁରୀ’ ସିନେମାର ଏହି ଗୀତ ଏବେ ବି ଲୋକଙ୍କୁ ବେଶ୍ ପସନ୍ଦ ଆସୁଛି । ତେଣୁ ଏହି ଗୀତ ସିଦ୍ଧାନ୍ତଙ୍କ ପାଇଁ ମଧ୍ୟ ଖୁବ ସ୍ପେସାଲ, ତେଣୁ ସେ ଅନେକ ସମୟରେ ଏହି ଗୀତକୁ ଗାଉଥିବାର ନଜର ଆସିଛନ୍ତି । ଏବେ ବସ୍ ରେ ମଧ୍ୟ ସିଦ୍ଧାନ୍ତ ମହାପାତ୍ର ତାଙ୍କର ଏହି ଏଭରଗ୍ରୀନ ଗୀତ ଗାଉଥିବାର ନଜର ଆସିଛନ୍ତି । ପୁରୀ ଯିବା ବାଟରେ ବିଧାୟକ ବସ୍ ଭିତରେ ସିଦ୍ଧାନ୍ତ ଏହି ଗୀତ ଗାଇବା ସହ ଦଳର ଅନ୍ୟ ବିଧାୟକ ଏବଂ ମନ୍ତ୍ରୀ ପାଳି ଧରିଛନ୍ତି । ଏହାପରେ ପୁରୀ ଯାଉଥିବା ବିଧାୟକ ବସ୍ ‘ପୁଚୁକି ଗାଲି’ ଗୀତରେ ଝୁମିଯାଇଛି ।
ସବୁ ଟେନସନ, ସବୁ ରାଜନୈତିକ ଚିନ୍ତାକୁ ଭୁଲି ରୋମାଣ୍ଟିକ ମୁଡରେ ନଜର ଆସିଛନ୍ତି ବିଜେପିର ବିଧାୟକ ଓ ମନ୍ତ୍ରୀ । ଆଉ ନିଜ ଗୀତରେ ବାନ୍ଧି ଏମାନଙ୍କୁ କିଛି ମୁହୁର୍ତ୍ତ ବାନ୍ଧି ରଖିଛନ୍ତି ଅଭିନେତାରୁ ବିଧାୟକ ସାଜିଥିବା ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର । ପୁରୀରେ ଚାଲୁଥିବା ନୌସେନା ଦିବସ ପାଳନ କରିବାକୁ ବିଜେପିର ବିଧାୟକ ଓ ମନ୍ତ୍ରୀଙ୍କ ଏକ ଟିମ୍ ପୁରୀ ଅଭିମୁଖେ ବସରେ ବାହାରିଥିଲେ । ଯେହେତୁ ମହାମହିମ ରାଷ୍ଟ୍ରପତି ମଧ୍ୟ ପୁରୀ ଆସିଛନ୍ତି, ତ ଏମାନଙ୍କ ମୁଣ୍ଡରେ ବି ରହିଛି ଅନେକ ଦାୟିତ୍ୱ । ଦେଶର ବୀର ଜବାନଙ୍କୁ ସମ୍ମାନ ଜଣାଇ ବିଜେପିର ଏହି ଟିମ୍ ପୁରୀ ବାହାରିଥିଲେ । ଆଉ ହଠାତ ବିଧାୟକ ସିଦ୍ଧାନ୍ତ ମହାପାତ୍ର ନିଜ ସିଟରୁ ଉଠି ପଡ ଆରମ୍ଭ କରିଥିଲେ ନିଜ ଅଭିନୀତ ବହୁ ଚର୍ଚ୍ଚିତ ଗୀତ । ପୁଚୁକି ଗାଲି, ଫେସନ ବାଲି, ଚାଲି ତୋ ବମ୍ବେ ଦିଲ୍ଲୀ । ମୋ ବୋପାଲୋ..
ଆଉ ବିଧାୟକଙ୍କ ଏଭଳି ଜୋସ୍ ଦେଖି ଅନ୍ୟ ମନ୍ତ୍ରୀ ବିଧାୟକ ବା କେମିତି ଚୁପ୍ ବସିବେ? ସେ ସିଦ୍ଧାନ୍ତ ଗୀତର ତାଳରେ ତାଳ ମିଶାଇ ଗୀତ ଗାଇବା ଆରମ୍ଭ କଲେ । କିଏ ନିଜ ସିଟରୁ ଛିଡା ହୋଇ ଗୀତର ତାଳରେ ତାଳ ମିଶେଇଲେ ତ କିଏ ତାଳି ବଜେଇ ମଜା ଉଠାଇଛନ୍ତି । ଶାସକ ଦଳର ବିଧାୟକ ତଥା ମନ୍ତ୍ରୀ କାମରୁ ଫୁରସତ ପାଇ ମଜାମସ୍ତି କରିବା ପାଇଁ ଖୁବ୍ କମ୍ ସମୟ ପରାଆନ୍ତି । କାହିଁକି ନା ଏମାନଙ୍କ ମୁଣ୍ଡରେ ରହିଛି କିଛି ନା କିଛି ବଡ ଦାୟିତ୍ୱ । କିନ୍ତୁ ଆଜି ପୁରୀ ନୌସେନା ଦିବସ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଏହାର ଏକ ଝଲକ ଦେଖିବାକୁ ମିଳିଛି ।ଯାହାର କି ଭିଡିଓ ଏବେ ଭାଇରାଲ ହେବାର ଲାଗିଛି ।