fbpx

ଅଯୋଗ୍ୟ ଘୋଷିତ ହେବେ ନାହିଁ ବିଦ୍ରୋହୀ ବିଧାୟକ ଗୋଷ୍ଠୀ: ଉପବାଚସ୍ପତିଙ୍କ ନୋଟିସ ଉପରେ ଲାଗିଲା ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: ଏକ ସପ୍ତାହ ଧରି ମହାରାଷ୍ଟ୍ର ରାଜନୀତିରେ ସଙ୍କଟଜନକ ପରିସ୍ଥିତି ଦେଖିବାକୁ ମିଳିଛି । ଏହାମଧ୍ୟରେ ମାମଲା ସର୍ବୋଚ୍ଚ ଅଦାଲତରେ ପହଞ୍ଚି ସାରିଛି । ତେବେ ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ଉପବାଚସ୍ପତିଙ୍କୁ ଝଟକା ଲାଗିଛି । ବିଦ୍ରୋହୀ ବିଧାୟକଙ୍କ ୟାଚିକା ଆଧାରରେ ଉପବାଚସ୍ପତିଙ୍କୁ ନୋଟିସ ଜାରି କରାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ ୧୧ ତାରିଖରେ ହେବା ନେଇ ସ୍ଥିରୀକୃତ ହୋଇଛି ।

ମହାରାଷ୍ଟ୍ରରେ ଉପବାଚସ୍ପତିଙ୍କ ଭୂମିକା ସନ୍ଦେହଘେରରେ ରହିଛି । ବିଦ୍ରୋହୀ ବିଧାୟକଙ୍କୁ ଉପବାଚସ୍ପତି କିପରି ଅଯୋଗ୍ୟ ଘୋଷିତ କରିପାରିବେ ବୋଲି ସୁପ୍ରିମକୋର୍ଟରେ ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ପକ୍ଷ ରଖାଯାଇଛି । ତେବେ ୩୯ ଜଣ ବିଧାୟକଙ୍କ ଜୀବନ ଓ ସ୍ୱାଧୀନତା ରକ୍ଷା ନେଇ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ । ବିଧାୟକଙ୍କର ଯେପରି କୌଣସି କ୍ଷତି ନଘଟେ ସେଥିପ୍ରତି ରାଜ୍ୟ ସରକାର ଧ୍ୟାନ ଦେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ ନେଇ ଉପବାଚସ୍ପତିଙ୍କ ନୋଟିସ ଉପରେ ଜୁଲାଇ ୧୧ ତାରିଖ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ରୋକ ଲାଗୁ କରିଛନ୍ତି । ଅର୍ଥାତ ଜୁଲାଇ ୧୧ ପର୍ଯ୍ୟନ୍ତ ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରାଯାଇ ପାରିବ ନାହିଁ । ତେବେ ଉପବାଚସ୍ପତି ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି । ତେଣୁ ତାଙ୍କୁ ହଟାଇବା ନେଇ ଆଗତ ହୋଇଥିବା ୟାଚିକା ଉପରେ ପ୍ରଥମେ ଶୁଣାଣି ହେବା ଦରକାର ବୋଲି ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.