fbpx
BSKY SKY
BSKY SKY

ଶ୍ରୀରାମଙ୍କ ଅଭିଷେକ କରିବେ ସ୍ୱୟଂ ସୂର୍ଯ୍ୟଦେବ: ମୁସଲିମ ମହିଳା ଆଣୁଛନ୍ତି ରାମଜ୍ୟୋତି

BSKY

ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ ୨୨ ତାରିଖରେ ହେବାକୁ ଯାଉଛି ଅଯୋଧ୍ୟା ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା । ଏହି ପବିତ୍ର ତିଥିରେ ନିର୍ମାଣାଧୀନ ଭବ୍ୟ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ଅପୂର୍ବ ମୂର୍ତ୍ତିକୁ ସ୍ଥାପନା କରାଯିବ । କିନ୍ତୁ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏହି ଆୟୋଜନ ବିଭିନ୍ନ ଘଟଣାକୁ ନେଇ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ହିନ୍ଦୁ ଧର୍ମର ଲୋକଙ୍କ ସହ ଅନ୍ୟ ଧର୍ମର ବ୍ୟକ୍ତିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ପାଲଟିଛନ୍ତି । ଆସନ୍ତା ଜାଣିବା ରାମ ମନ୍ଦିରର କିଛି ବିଶେଷ କଥା:-

  • ୫୧ ଇଞ୍ଚର ଶାନ୍ତ ପ୍ରଭୁ ଶ୍ରୀରାମ ପ୍ରତିମା: ରାମ ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ, ଭଗବାନ ଶ୍ରୀରାମଙ୍କ ମୂର୍ତ୍ତି ୫୧ ଇଞ୍ଚ ଉଚ୍ଚତା ବିଶିଷ୍ଟ ରହିଛି । ଏହି ପ୍ରତିମାର ଓଜନ ପ୍ରାୟ ୧.୫ ଟନ୍ ହୋଇଥିବା ବେଳେ ଏଥିରେ ଏକ କୋମଳ ଶିଶୁର ସରଳତା ଭରି ରହିଛି ।
  • ରାମନବମୀରେ ସ୍ୱୟଂ ସୂର୍ଯ୍ୟଦେବ କରିବେ ଶ୍ରୀରାମଙ୍କ ଅଭିଷେକ: ଟ୍ରଷ୍ଟର ମହାସଚିବ କହିଛନ୍ତି ଯେ, ଭଗବାନ ଶ୍ରୀରାମଙ୍କ ପ୍ରତିମାର ଉଚ୍ଚତା ଏବଂ ଏହାର ସ୍ଥାପନାର ଉଚ୍ଚତା ଭାରତର ପ୍ରତିଷ୍ଠିତ ଅନ୍ତରୀକ୍ଷ ବିଜ୍ଞାନୀଙ୍କ ପରାମର୍ଶ ଅନୁସାରେ କରାଯାଇଛି । ଏହାର ଡିଜାଇନ୍ ଏଭଳି ଭାବରେ ପ୍ରସ୍ତୁତ ହୋଇଛି, ଯାହା ଫଳରେ ପ୍ରତ୍ୟେକ ବର୍ଷ ରାମନବମୀ ତିଥିରେ ଚୈତ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଥୀରେ ଭଗବାନ ସୂର୍ଯ୍ୟଦେବ ସ୍ୱୟଂ ପୁରୁଷୋତ୍ତମ ଶ୍ରୀରାମଙ୍କ ଅଭିଷେକ କରାଇବେ । ମଧ୍ୟାହ୍ନ ୧୨ଟା ସମୟରେ ସୂର୍ଯ୍ୟକିରଣ ସିଧାସଳଖ ପ୍ରଭୁ ଶ୍ରୀରାମଙ୍କ ମସ୍ତକ ଉପରେ ପଡ଼ିପାରିବ । ଏହାଦ୍ୱାରା ପ୍ରଭୁଙ୍କ ଅପୂର୍ବ ମୂର୍ତ୍ତି ଝଲସି ଉଠିବ ବୋଲି କହିଛନ୍ତି ଟ୍ରଷ୍ଟର ମହାସଚିବ ।
  • ୩ ଜଣ ମୂର୍ତ୍ତିକାର ପ୍ରସ୍ତୁତ କରିଛନ୍ତି ପ୍ରତିମା: ୩ ଜଣ ମୂର୍ତ୍ତିକାର ପ୍ରଭୁ ଶ୍ରୀରାମଙ୍କର ଭିନ୍ନ ଭିନ୍ନ ପ୍ରତିମା ନିର୍ମାଣ କରିଥିଲେ । ଏମାନଙ୍କ ମଧ୍ୟରୁ ଅରୁଣ ଯୋଗୀରାଜଙ୍କ ୧.୫ ଟନ୍ ଓଜନ ତଥା ୫୧ ଇଞ୍ଚ ଉଚ୍ଚର ମୂର୍ତ୍ତିକୁ ଚୟନ କରାଯାଇଛି । ଭଗବାନଙ୍କ କୃପାରୁ ପ୍ରଭୁ ଶ୍ରୀରାମଙ୍କ ଏହି ପ୍ରତିମାକୁ ଚୟନ କରାଯାଇଛି ।
  • ମୁସଲିମ ମହିଳା ଆଣିବେ ରାମଜ୍ୟୋତି: ବାରାଣସୀର ୨ ଜଣ ମୁସଲିମ ମହିଳାଳ ନାଜନୀନ ଅନସାରୀ ଏବଂ ନଜମା ପରୱିନ, ଅଯୋଧ୍ୟାରୁ ‘ରାମଜ୍ୟୋତି’ ଆଣିବେ । ରିପୋର୍ଟ ଅନୁସାରେ, ଭଗବାନ ଶ୍ରୀରାମ ଉଭୟ ମହିଳାଙ୍କ ପୂର୍ବଜ ବୋଲି ସେମାନେ ମୁସଲିମ ଇଲାକାରେ ବାର୍ତ୍ତା ପହଞ୍ଚାଇବେ । ସେମାନେ କହିଛନ୍ତି ଯେ, ପ୍ରତ୍ୟେକ ଭାରତୀୟଙ୍କ ଡିଏନଏ ଏକପ୍ରକାରର ହୋଇଥାଏ ।
  • ସବୁଜ ପତାକା ଦେଖାଇବେ ଡୋମରାଜ : ଅଯୋଧ୍ୟାରୁ ଉଭୟ ମୁସଲିମ ମହିଳାଙ୍କ ଯାତ୍ରାକୁ କାଶୀର ଡୋମରାଜ ଓମ୍ ଚୌଦୂରୀ ଏବଂ ପାତାଳପୁରୀ ମଠର ମହନ୍ତ ବାଳକ ଦାସ ଅଯୋଧ୍ୟା ଯାତ୍ରାକୁ ସବୁଜ ପତାକା ଦେଖାଇବେ । ମହନ୍ତ ଶମ୍ଭୁ ଦେବାଚାର୍ଯ୍ୟ ଅଯୋଧ୍ୟାରେ ଉଭୟ ମହିଳାଙ୍କୁ ରାମଜ୍ୟୋତି ହସ୍ତାନ୍ତର କରିବେ ।

Get real time updates directly on you device, subscribe now.