fbpx

ତପସ୍ୱିନୀର ସିନ୍ଦୁର ଯୁଦ୍ଧରେ ମୁଁ ସାରଥୀ ସାଜିବି, ନ୍ୟାୟ ନିଶ୍ଚୟ ଦେବି: ପ୍ରମିଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରାୟ ଏକ ସପ୍ତାହ ଧରି ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି ତପସ୍ୱିନୀ ଦାଶ । ଆସ୍କା ନିକଟସ୍ଥ ବାଲିସିରା ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ତାଙ୍କର ଡାକ୍ତର ସ୍ୱାମୀ ସୁମିତ ସାହୁ ତାଙ୍କୁ ପତ୍ନୀ ହିସାରେ ଗ୍ରହଣ କରନ୍ତୁ ବୋଲି ତପସ୍ୱିନୀ ଦାବି କରିଆସୁଛନ୍ତି । ତେବେ ପତି ଓ ଶ୍ୱଶୁର ତାଙ୍କର ବୋହୂର ପରିଚୟକୁ ଗ୍ରହଣ କରୁଥିଲେ ହେଁ ମାମଲା ଏବେ ଅଦାଲତରେ ବିଚାରାଧୀନ ଥିବାରୁ ସେମାନେ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କହିଥିଲେ । ତେବ ଧାରଣାସ୍ଥଳରେ ବସିବା ଠାରୁ ଆରମ୍ଭ କରି ପ୍ରତ୍ୟେକ ସଂଘର୍ଷମୟ କାର୍ଯ୍ୟରେ ତପସ୍ୱିନୀଙ୍କ ସାଥ ଦେଇଛନ୍ତି ଜଣେ ସମାଜସେବୀ ପ୍ରମିଳା ତ୍ରିପାଠୀ ଆଜିର ସମାଜରେ ଅନ୍ୟକୁ ସାହାଯ୍ୟ କରିବାକୁ କେହି ଚାହୁଁ ନଥିବା ବେଳେ ଶ୍ରୀମତୀ ତ୍ରିପାଠୀ ଏ କ୍ଷେତ୍ରରେ ବିରଳ ।

ତେବେ ‘ଓଡ଼ିଶା ଭାସ୍କର ଲାଇଭ’କୁ ସାକ୍ଷାତକାର ଦେଇ ପ୍ରମିଳା କହିଛନ୍ତି ଯେ, ସେ ହଜାର ହଜାର ଝିଅଙ୍କୁ ନିଜ ଝିଅ ଭାବି ସେମାନଙ୍କର ଦୁଃଖ ବୁଝି ଆସୁଛନ୍ତି । ତାଙ୍କର ବାପା ଓ ସ୍ୱାମୀ ଏହି କାର୍ଯ୍ୟ ପାଇଁ ତାଙ୍କୁ ସର୍ବଦା ସହଯୋଗ କରିଆସିଛନ୍ତି । ମଫସଲି ଗ୍ରାମର ଗରିବ ଘରର ଝିଅ ଓ ବୋହୂମାନଙ୍କୁ ନ୍ୟାୟ ଦେବା ହେଉଛି ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ । ଆଜି ସେ ୭୦ ବର୍ଷ ବୟସରେ ଉପନୀତ ହୋଇଥିଲେ ହେଁ ଅନ୍ୟମାନଙ୍କ ପାଇଁ ସଂଗ୍ରାମ ଚଳାଇ ଚାଲିଛନ୍ତି । ନିଜ ପରିବାରରେ ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଥିବା ବେଳେ ତପସ୍ୱିନୀ ତାଙ୍କର ଆଉ ଗୋଟିଏ ଝିଅ । ସେ ନିଶ୍ଚିୟ ନ୍ୟାୟ ପାଇବ । ସେଥିପାଇଁ ସେ ନିଜେ ଶ୍ୱଶୁର ଘର ସାମନାରେ ଧାରଣାରେ ବସି ତପସ୍ୱିନୀଙ୍କୁ କୋର୍ଟକୁ ପଠାଇଥିଲେ । ଲୋକଙ୍କ ମୁହଁରେ ଖୁସି ଦେଖିବା ହେଉଛି ତାଙ୍କର ଲକ୍ଷ୍ୟ । ଟଙ୍କା ପଇସା, ଧନ ସମ୍ପତ୍ତିରେ ତାଙ୍କର ଲୋଭ ନାହିଁ । ନିଜ ହାତରେ ଅର୍ଥ ଖର୍ଚ୍ଚ କରି ସେ ଅନେକ ପରିବାରରେ ଖୁସି ଭରିଦେଇଛନ୍ତି । ସେ କେବଳ ତାଙ୍କର ଝିଅ ମାନଙ୍କ ପାଇଁ ବଞ୍ଚିଛନ୍ତି ଓ ବଞ୍ଚିବେ ମଧ୍ୟ । ଅନ୍ୟ ପାଇଁ କାର୍ଯ୍ୟ କରିବାକୁ ଯାଇ ମାଡ଼ ଗାଳି ଠାରୁ ଆରମ୍ଭ କରି ବିଭିନ୍ନ ଲୋକଙ୍କ ଠାରୁ ଅନେକ କୁତ୍ସାରଟନା ଶୁଣିଛନ୍ତି । ମାତ୍ର ସେସବୁ ଖାତିର ନକରି ଆଜି ଲକ୍ଷ ଲକ୍ଷ ଲୋକଙ୍କୁ ନେଇ ଆନ୍ଦୋଳନ ଜାରି ରଖିଥିବା ସେ କହିଛନ୍ତି ।

Get real time updates directly on you device, subscribe now.