fbpx
BSKY SKY
BSKY SKY

ଦ୍ୱିତୀୟ ଟେଷ୍ଟ: ବିରାଟଙ୍କ ବ୍ୟାଟରେ ପ୍ରଥମେ ବଲ୍ ବାଜିଛି ତଥାପି ଅମ୍ପାୟାର ଦେଲେ ଆଉଟ୍, ଟିମ୍ ଇଣ୍ଡିଆ ୨୬୨ରେ ସୀମିତ

BSKY

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିବସରେ ଟିମ୍ ଇଣ୍ଡିଆର ବିପର୍ଯ୍ୟୟ ଘଟିଛି । ଦଳ ମାତ୍ର ୨୬୨ ରନରେ ସମସ୍ତ ୱିକେଟ ହରାଇଛି । ଗତକାଲି ପ୍ରଥମ ଦିନରେ ଭାରତୀୟ ବୋଲିଂକୁ ସାମ୍ନା କରି ନପାରି ଅଷ୍ଟ୍ରେଲିଆ ମାତ୍ର ୨୬୩ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହା ପରେ ଭାରତ ନିକଟରେ ବଡ଼ ସ୍କୋର କରିବାର ସୁଯୋଗ ରହିଥିଲା । ମାତ୍ର ଭାରତ ନିଜ ଜାଲରେ ନିଜେ ପଡ଼ିବା ପରେ ଅଷ୍ଟ୍ରେଲିଆ ବୋଲରଙ୍କୁ ସଠିକ୍ ଭାବେ ମୁକାବିଲା କରିପାରି ନଥିଲା ।

ଆଜି ଦିତୀୟ ଦିନରେ ଭାରତ ତା’ର ଅସମାପ୍ତ ଇନିଂସ ୨୧/୦ରୁ ଖେଳ ଆରମ୍ଭ କରିଥିଲା । ମାତ୍ର ଏହାପରେ ଟିମ୍ ଇଣ୍ଡିଆର ଜଣଙ୍କ ପରେ ଜଣେ ଖେଳାଳି ସ୍ପିନର ନାଥନ ଲାୟନଙ୍କ ଶିକାର ହେବାରେ ଲାଗିଥିଲେ । ଫଳରେ କେବଳ ଅକ୍ଷର ପଟେଲ ସର୍ବାଧିକ ୭୪ ରନ୍ ସଂଗ୍ରହ କରିପାରିଥିଲେ । ବିରାଟ କୋହଲି ୪୪ ରନରେ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତିର ଶିକାର ହୋଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଲାୟନ ସର୍ବାଧିକ ୫ଟି, ଟୋଡ ମର୍ଫି ଓ ମାଥ୍ୟୁ କୁହ୍ନେମ୍ୟାନ ୨ଟି ଲେଖାଏଁ ଓ ଅଧିନାୟକ ପ୍ୟାଟ୍ କୁମିନ୍ସ ୧ଟି ୱିକେଟ ଅକ୍ତିଆର କରିଥିଲେ ।

ତେବେ ଆଜି ଭାରତର ଷ୍ଟାର ଖେଳାଳି ବିରାଟଙ୍କ ଭୁଲ୍ ଆଉଟକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ନିରାଶା ଖେଳିଯାଇଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ନିୟମ ମୁତାବକ, ବିରାଟଙ୍କୁ ଭୁଲ୍ ଭାବେ ଆଉଟ୍ ଦିଆଯାଇଛି । ବିରାଟଙ୍କ ବ୍ୟାଟରେ ପ୍ରଥମେ ବଲ ବାଜିଥିଲା, ପ୍ୟାଡରେ ନୁହେଁ । ମାତ୍ର ଅମ୍ପାୟାର ଏହାକୁ ଲେଗ୍ ବିଫୋର ୱିକେଟ୍ (ଏଲବିଡବ୍ଲ୍ୟୁ) ଆଉଟ୍ ଦେଇଥିଲେ । ଫଳରେ ଏହାକୁ ନେଇ ଏବେ ହଙ୍ଗାମା ଆରମ୍ଭ ହୋଇଯାଇଛି । ବିରାଟ ମଧ୍ୟ ରିଭ୍ୟୁ ନେଇଥିଲେ । ବଲଟି ପ୍ରଥମେ ବ୍ୟାଟରେ ବାଜିଥିବା ରିପ୍ଲେରେ ଦେଖାଯାଇଥିଲା । ଏପରି ସ୍ଥିତିରେ ଥାର୍ଡ ଅମ୍ପାୟାର ଆଉଟ୍ ନିଷ୍ପତ୍ତିକୁ ଠିକ୍ ବୋଲି କହିଥିଲେ ।

Get real time updates directly on you device, subscribe now.