fbpx

ଆସନ୍ତା ୩୧ ତାରିଖର ଫଳାଫଳ ନିର୍ଦ୍ଧାରଣ କରିବ ଟିମ୍ ଇଣ୍ଡିଆର ଭାଗ୍ୟ : କିୱିକୁ ଚକମା ଦେବାକୁ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ହାରିବା ପରେ ଟିମ୍ ଇଣ୍ଡିଆର ଚିନ୍ତା ବଢ଼ିଯାଇଛି । ଆସନ୍ତା ୩୧ ତାରିଖରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି । ଏହି ମ୍ୟାଚ ବିରାଟ ବାହିନୀଙ୍କ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି ହୋଇଛି । କାରଣ ଟି-୨୦ ବିଶ୍ୱକପରେ ଭାରତ ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷରେ କୌଣସି ମ୍ୟାଚ ଜିତିପାରି ନାହିଁ । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଯେଉଁ ଇତିହାସକୁ ବଦଳାଇ ପାରିନଥିଲେ ତାହାକୁ ବଦଳାଇବାକୁ ପ୍ରାଣପଣେ ଉଦ୍ୟମ କରିବେ ଅଧିନାୟକ ବିରାଟ କୋହଲି ।

ରେକର୍ଡ ଉପରେ ନଜର ପକାଇଲେ ଜଣାପଡ଼ୁଛି ଯେ, ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପରେ ଅଦ୍ୟାବଧି ମୋଟ ୨ଟି ମ୍ୟାଚ ହୋଇଛି, ଯାହାକୁ କି କିୱି ସମ୍ପୂର୍ଣ୍ଣ ପୋଛି ନେଇଛି । ୨୦୦୭ ବିଶ୍ୱକପରେ ୧୦ ରନରେ ଓ ୨୦୧୬ରେ ୪୭ ରନରେ ଭାରତ ପରାଜୟ ବରଣ କରିଥିଲା । ତେବେ ଟି-୨୦ରେ ମୋଟ ଅନ୍ତର୍ଜାତୀୟ ରେକର୍ଡକୁ ବିଚାର କଲେ ମଧ୍ୟ ନ୍ୟୁଜିଲାଣ୍ଡର ପଲା ଭାରି ରହୁଛି । ଦୁଇ ଦେଶ ମଧ୍ୟରେ ହୋଇଥିବା ମୋଟ ୧୬ଟି ମ୍ୟାଚରୁ ନ୍ୟୁଜିଲାଣ୍ଡ ୮ଟିରେ, ଭାରତ ୬ଟିରେ, ବାକି ଦୁଇଟି ଟାଇ ରହିଥିଲା । ଏପରିକି ୨୦୧୯ ଏକଦିବସୀୟ ବିଶ୍ୱକପ ସେମିଫାଇନାଲ ପରି ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ହାରିଥିଲା । ଚଳିତ ବର୍ଷ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ମଧ୍ୟ ନ୍ୟୁଜିଲାଣ୍ଡ ଭାରତକୁ ୮ ୱିକେଟରେ ପରାଜିତ କରିଥିଲା । ଅତୀତରେ ସର୍ବଦା ବଡ଼ ବଡ଼ ମୁକାବିଲାର ରେଜଲ୍ଟ କିୱି ସପକ୍ଷରେ ଯାଇଛି । ତେବେ ଇତିହାସ କ’ଣ ଥିଲା ତାହା ଅଲଗା କଥା । ଆସନ୍ତା ୩୧ ତାରିଖରେ ନିଜର ଦମ ବଳରେ ବିରାଟ ବାହିନୀ ଇତିହାସ ରଚିବ ଏହା ଦେଖିବାକୁ ସମସ୍ତ ଦେଶବାସୀ ଚାହିଁ ରହିଛନ୍ତି ।

Get real time updates directly on you device, subscribe now.