fbpx
BJD SKY
BJD SKY

T-20 ସିରିଜ୍ ଜିତିଲା ଭାରତ: ବୁମ୍ରାଙ୍କ ନେତୃତ୍ୱରେ ଦମ୍ ଦେଖାଇଲେ ଯୁବ ବାହିନୀ

BJD

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜକୁ ହାତେଇ ନେଇଛି ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଭାରତ ବିଜୟ ହାସଲ କରିଥିବା ବେଳେ ଆଜିର ବିଜୟ ଫଳରେ ଦଳ ଏହି ସଫଳତା ହାସଲ କରିଛି । ଦୀର୍ଘଦିନ ପରେ ଦଳକୁ ଫେରିବା ପରେ ଅଧିନାୟକ ଯଶପ୍ରୀତ ବୁମ୍ରା ଦେଶବାସୀଙ୍କୁ ଏହି ବଡ଼ ଉପହାର ଦେଇଛନ୍ତି । ଆଜି ଆୟର୍ଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୫ ରନ୍ ସଂଗ୍ରହ କରିଥିଲା । ଜବାବରେ ଆୟର୍ଲାଣ୍ଡ ୮ ୱିକେଟ ହରାଇ ୧୫୨ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ।

ଭାରତର ପକ୍ଷରୁ ଋତୁରାଜ ଗାଏକ୍ୱାଡ ୫୮, ରିଙ୍କୁ ସିଂହ ୩୮ ଓ ସଞ୍ଜୁ ସାମସନ ୪୦ ରନ ସଂଗ୍ରହ କରିଥିଲେ । ଭାରତୀୟ ବ୍ୟାଟ୍ସମ୍ୟାନମାନେ ପ୍ରତିପକ୍ଷର ବୋଲରଙ୍କୁ ନିର୍ଧୂମ ଛେଚିଥିଲେ । ଆୟର୍ଲାଣ୍ଡ ପକ୍ଷରୁ ବେରୀ ମାକାର୍ଥୀ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ । ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଆୟର୍ଲାଣ୍ଡର ଆଣ୍ଡ୍ରୁ ବାଲବିରନି ସର୍ବାଧିକ ୭୨ ରନ୍ ସଂଗ୍ରହ କରି ଲଢ଼େଇ କରିଥିଲେ ମଧ୍ୟ ତାହା ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇନଥିଲା । ଦଳ ୩୩ ରନରେ ପରାସ୍ତ ହୋଇଥିଲା । ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨୫ ଅଙ୍କ ଟପିପାରିନଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା, ପ୍ରସିଦ୍ଧ କ୍ରୀଷ୍ଣା ଓ ରବି ବିଷ୍ଣୋଇ ପ୍ରତ୍ୟେକେ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଗତ ୧୮ ତାରିଖରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ଡିଏଲଏସ ନିୟମ ଆଧାରରେ ୨ ରନରେ ବିଜୟ ହାସଲ କରିଥିଲା । ଆଜିର ମ୍ୟାଚରେ ଜିତିବା ଫଳରେ ଭାରତ ୨-୦ରେ ଆଗୁଆ ରହିବା ସହ ସିରିଜକୁ କବଜା କରିନେଇଛି । ଆସନ୍ତା ୨୩ ତାରିଖରେ ଡବଲିନରେ ତୃତୀୟ ତଥା ଅନ୍ତିମ ମ୍ୟାଚ ଅନୁଷ୍ଠିତ ହେବ । ୱେଷ୍ଟଇଣ୍ଡିଜ ଟି-୨୦ ସିରଜ ପରାଜୟ ପରେ ମନୋବଳ ହରାଇଥିବା ଭାରତୀୟ ଯୁବ ବାହିନୀ ପୁଣି ଥରେ ତା’ର ମନୋବଳ ଫେରି ପାଇଛି ।

Get real time updates directly on you device, subscribe now.