fbpx

ଫୁଟପାଥ୍ ଉପରେ ଦ୍ରୁତ ଗତିରେ ପଶିଗଲା କାର୍, ୪ ମହିଳା ମୃତ; ନାବାଳକ ଡ୍ରାଇଭର୍ ଗିରଫ

AAKASH

ହାଇଦ୍ରାବାଦ୍: ଫୁଟପାଥ୍ ରେ ବସିଥିବା ଲୋକଙ୍କ ଉପରେ କାର୍ ଚଢ଼ିବା ମାମଲା ପୂର୍ବରୁ ମଧ୍ୟ ସ୍ୱବ୍ଧ କରିଥିଲା । ହେଲେ ଏବେ ସେହିଭଳି ଏକ ମାମଲା ସାମନାକୁ ଆସିଛି । ତେଲେଙ୍ଗାନାର କରୀମନଗରରେ ରବିବାର ଦିନ ସକାଳ ସମୟରେ ଫୁଟପାଥ୍ ରେ ବସିଥିବା କିଛି ଶ୍ରମିକଙ୍କ ଉପରେ ଗୋଟିଏ କାର୍ ଦ୍ରୁତ୍ ଗତିରେ ଚଢ଼ି ଯାଇଥିଲା । ଯେଉଁଥିରେ ଜଣେ ଯୁବତୀଙ୍କ ସମେତ ଚାରି ଜଣ ମହିଳାଙ୍କ ମୃତ୍ୟୁ ହୋଇଯାଇଛି ।

ସୂଚନା ଯେ, କାର୍ ଟିକୁ ଜଣେ ନାବାଳକ ଚଲାଉଥିଲା । ପୋଲିସ୍ ର କହିବାନୁସାରେ, ଏହି ଘଟଣା ସକାଳ ପ୍ରାୟ ୬ଟା ୫୦ ମିନିଟ୍ ରେ ଘଟିଛି । ତେବେ ଏହି ଅଞ୍ଚଳରେ ସକାଳ ସମୟରେ କୁହୁଡ଼ି ଥିବା କାରଣରୁ ଆଖି ମନ୍ଥିବା ସମୟରେ ଷ୍ଟିୟରିଂ ଉପରୁ ନାବାଳକଟିର ନିୟନ୍ତ୍ରଣ ହଟିଯାଇଥିଲା । ଯାହାଫଳରେ କାର୍ ଟି ଏକ ଡିଭାଇଡର୍ ସହିତ ଧକ୍କ୍ା ହୋଇଥିଲା । ଆଉ ଏହି ସମୟରେ ହିଁ ଫୁଟପାଥ୍ ରେ ବସିଥିବା ଲୋକଙ୍କ ଉପରେ ବି ଗାଡ଼ି ଚଢ଼ିଯାଇଥିଲା ।

ପୋଲିସ୍ ଅନୁସାରେ, ଗାଡ଼ି ଧକ୍କାରେ ତିନି ଜଣ ମହିଳାଙ୍କ ସମେତ ଜଣେ ୧୪ ବର୍ଷୀୟା କିଶୋରୀର ମୃତ୍ୟୁ ହୋଇଯାଇଛି । ଘଟଣା ସ୍ଥଳରେ ତିନିଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ହସ୍ପିଟାଲକୁ ନେବା ସମୟରେ ଅନ୍ୟ ଜଣଙ୍କର ଜୀବନ ଚାଲିଯାଇଥିଲା । ଏହା ବ୍ୟତୀତ ଆହୁରି ଦୁଇଜଣ ଗଭୀର ଆହତ ମଧ୍ୟ ହୋଇଛନ୍ତି । ସମସ୍ତଙ୍କର ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସା ଚାଲିଛି ।

ତେବେ କାର୍ ଚଲାଉଥିବା ନାବାଳକ ଜଣକ ନବମ ଶ୍ରେଣୀ ଛାତ୍ର ବୋଲି ଜଣାପଡ଼ିଛି । ସେ କାର୍ ରେ ବ୍ରେକ୍ ବଦଳରେ ଏକ୍ସିଲେଟର୍ ଦବାଇବା ଫଳରେ ଏହି ଘଟଣା ଘଟିଗଲା । ଖାଲି ସେତିକି ନୁହେଁ ଘଟଣା ଘଟାଇବା ସମୟରେ କାର୍ ରେ ନାବାଳକ ଡ୍ରାଇଭର୍ ର ଅନ୍ୟ ଦୁଇ ଜଣ ନାବାଳକ ସାଙ୍ଗ ମଧ୍ୟ ଉପସ୍ଥିତ ରହିଥିଲେ । ଦୁର୍ଘଟଣା ପରେ ତିନି ଜଣ ଯାକ କାର୍ ଛାଡ଼ି ଦୌଡ଼ି ପଳାଇଥିଲେ । ହେଲେ ସେମାନଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ୍ । ଏହାସହିତ ଗାଡ଼ି ଚଲାଇବା ଦେଇଥିବା ମାଲିକଙ୍କୁ ମଧ୍ୟ ହେପାଜତକୁ ନେଇଛି ପୋଲିସ୍ ।

Get real time updates directly on you device, subscribe now.