fbpx

(Video) ଭୟଙ୍କର ଟ୍ରେନ ଦୁର୍ଘଟଣା: କେଇଟା ମୁହୂର୍ତ୍ତରେ ମୃତଦେହରେ ଭର୍ତ୍ତି ହୋଇଗଲା ସ୍କୁଲ ଘର

ବାଲେଶ୍ୱର: ହସି ଖେଳି କରମଣ୍ଡଳ ଏକ୍ସପ୍ରେସରେ ଚଢିଥିଲେ ହଜାର ହଜାର ଯାତ୍ରୀ । କିନ୍ତୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଲକ୍ଷ୍ୟଭ୍ରଷ୍ଟ ହୋଇଯାଇଛି କରମଣ୍ଡଳ ଏକ୍ସପ୍ରେସ, ଆଉ ତା ସହିତ ଚିର ନିଦ୍ରାରେ ଶୋଇ ଯାଇଛନ୍ତି ଶହ ଶହ ପାସେଞ୍ଜର । ଲୌହଦାନବର କାଳରାତ୍ରିରେ ଉଜୁଡି ଯାଇଛି ୨୦୦ରୁ ଅଧିକ ଖୁସିଭରା ଜୀବନ । ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳର ଭୟାନକ ଦୁର୍ଘଟଣାରେ ପ୍ରାୟ ୧୦୦୦ ଯାତ୍ରୀ ଆହତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୨୦୦ ପାର୍ କରିସାରିଛି ।

କରମଣ୍ଡଳ ଏକ୍ସପ୍ରେସର ଏହି ଛାତିଥରା ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦୭ ଜଣ ଯାତ୍ରୀ ପ୍ରାଣ ହରାଇ ସାରିଛନ୍ତି । ମୃତ୍ୟୁସଂଖ୍ୟା ଏତେ ଅଧିକ ରହିଛି ଯେ, ନିକଟସ୍ଥ ସ୍କୁଲଘରେ ଶବ ରଖିବା ପାଇଁ ଆଉ ଜାଗା ଟିକିଏ ବି ନାହିଁ । ବାହାନଗା ହାଇସ୍କୁଲରେ ଗଦା ହୋଇଛି କୁଢ କୁଢ ଶବ । ଶହ ଶହ ଲୋକଙ୍କ ମୃତଦେହରେ ଭର୍ତ୍ତି ହୋଇଯାଇଛି ସ୍କୁଲଘରର କୋଠା । ଯେଉଁଆଡେ ଆଖି ବୁଲାଇ ଆଣିବେ କେବଳ ଶବ ହିଁ ଶବ । ସ୍କୁଲ ଘରର ଚଟାଣରେ ଏବେ ରକ୍ତର ନଦୀ ବହୁଛି । ହଠାତ ଖୁସି ବାଣ୍ଟୁଥିବା ସ୍କୁଲ ପରିସର ସତେ ଯେମିତି ଶୋକର ଛାୟାରେ ଫାଟି ପଡୁଛି । ଶହ ଶହ ଯାତ୍ରୀଙ୍କ ପାଇଁ କରମଣ୍ଡଳର ଏହି ଯାତ୍ରା ଶେଷ ଯାତ୍ରା ହୋଇ ଯାଇଛି ।

ଯେଉଁ ଘର ଦିନେ ଛୋଟ ଛୋଟ ପିଲାଙ୍କ ଖିଲି ଖିଲି ହସରେ ଫାଟି ଯାଉଥିଲା, ଆଜି ସେହି ସ୍କୁଲ ସ୍ତବ୍ଧ ପାଲଟିଯାଇଛି । ଚାରିଆଡେ ମୃତ୍ୟୁର ଏକ ଭୟାନକ ଚେହେରା ଦୃଶ୍ୟମାନ ହେଉଛି । ପିଲାଙ୍କ ମିଠା ହସ ଜାଗାରେ ଶୁଭୁଛି ପ୍ରିୟ-ପରିଜନ ଆତ୍ମୀୟସ୍ୱଜନଙ୍କୁ ହରାଇଥିବା ଲୋକଙ୍କ ବିକଳ ଚିତ୍କାର । ସେପଟେ ୨୦୭ରେ ମୃତ୍ୟୁସଂଖ୍ୟା ପହଞ୍ଚିଥିଲେ ବି ଉଦ୍ଧାରକାର୍ଯ୍ୟ ଶେଷ ହୋଇନି । ଯେତେ ଯେତେ ରାତି ବଢୁଛି ମୃତ୍ୟୁସଂଖ୍ୟ ବି ସେତେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ସମସ୍ତେ ଅପେକ୍ଷା କରିଛନ୍ତି ଏହି କାଳରାତ୍ରିର ଅନ୍ତ ଏବଂ ଆଉ ଏକ ନୂଆ ଆଉ ଖୁସିଭରା ସୂର୍ଯ୍ୟୋଦୟକୁ ।

Get real time updates directly on you device, subscribe now.