fbpx
BSKY
BJD MC SKY
BJD YOUTH SKY

କାବୁଲ୍ ବିଶ୍ୱବିଦ୍ୟାଳୟରେ ଆତଙ୍କୀ ଆକ୍ରମଣ , ୨୫ ମୃତ

କାବୁଲ ,୨।୧୧: ଆଫଗାନିସ୍ତାନର କାବୁଲ୍ ବିଶ୍ୱବିଦ୍ୟାଳୟରେ ସୋମବାର ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଏହି ଘଟଣାରେ ୨୫ଜଣ ଛାତ୍ରଛାତ୍ରୀଙ୍କ ପ୍ରାଣହାନୀ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ମିଳିବା ପରେ ତୁରନ୍ତ ଆପ୍ଗାନ୍ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କ ଏହି କାର୍ଯ୍ୟାନୁଷ୍ଠାନରେ ଘଟଣାସ୍ଥଳରେ ହିଁ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀ ଆକ୍ରମଣ ସମୟରେ କାବୁଲ୍ ବିଶ୍ୱବିଦ୍ୟାଳୟ ପରିସରରେ ଏକ ପୁସ୍ତକ ପ୍ରଦର୍ଶନୀ ଚାଲିଥିଲା । ବିଶ୍ୱବିଦ୍ୟାଳୟର ପ୍ରଫେସର ଜବିଉଲ୍ଲା ହେଦରୀ ସ୍ଥାନୀୟ ଟିଭି ଚ୍ୟାନେଲ୍ “ଅରିୟାନ୍’କୁ ସୂଚନା ଦେଇ କହିଛନ୍ତି ଯେ, ଆତଙ୍କବାଦୀମାନେ ଅତର୍କିତ ଗୁଳିମାଡ଼ କରିବା ସମୟରେ ବିଶ୍ୱବିଦ୍ୟାଳୟ ପରିସରରେ ପୁସ୍ତକ ମେଳା ଚାଲିବା ସହ କ୍ଲାସ୍ ମଧ୍ୟ ଚାଲୁଥିଲା । ଗୁଳିମାଡ଼ ସମ୍ପର୍କରେ ଜଣାପଡ଼ିବା ପରେ ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟରେ ଉପସ୍ଥିତ ଥିବା କର୍ମଚାରୀଙ୍କ ମଧ୍ୟରେ ଦୌଡ଼ାଦୌଡ଼ି ଆରମ୍ଭ ହୋଇ ଯାଇଥିଲା । ପ୍ରକାଶଯୋଗ୍ୟ, ଗତବର୍ଷ ଏହି ବିଶ୍ୱବିଦ୍ୟାଳୟ ଫାଟକ ନିକଟରେ ହୋଇଥିବା ବୋମା ବିସ୍ଫୋରଣ ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୨୦୧୬ ମସିହାରେ ଆତଙ୍କବାଦୀମାନେ କାବୁଲ୍ସ୍ଥିତ ଆମେରିକାନ ବିଶ୍ୱବିଦ୍ୟାଳୟରେ ଆକ୍ରମଣ କରିଥିଲେ ଏବଂ ସେହି ଘଟଣାରେ ୧୩ଜଣଙ୍କୁ ମୃତ୍ୟୁ ହୋଇଥିଲା । ଗତମାସରେ ଆତଙ୍କବାଦୀ ସଙ୍ଗଠନ ଇସ୍ଲାମିକ୍ ଷ୍ଟେଟ୍ କାବୁଲ୍ର ଏକ ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ଆକ୍ରମଣ କରିଥିଲା ଏବଂ ସେହି ଘଟଣାରେ ୨୪ଜଣଙ୍କ ମୃତ୍ୟୁ ହେବା ସହ ଶହେରୁ ଊଦ୍ଧ୍ୱର୍ ଆହତ ହୋଇଥିଲେ ।

Get real time updates directly on you device, subscribe now.