fbpx

ମା’-ମମତାର ଶ୍ରେଷ୍ଠ ଉଦାହରଣ; ପୁଅ ମୃତ୍ୟୁ ଖବର ଶୁଣି ହୃଦଘାତରେ ଆଖି ବୁଜିଲା ସାବତ ମାଆ

ଓଡ଼ିଶା ଭାସ୍କର: ସମାଜରେ ସାବତ ମାଆକୁ ଲୋକ କଳଙ୍କ ଓ ଅପବାଦର ନାଁ ଦେଇଥାନ୍ତି। ହେଲେ ଏମିତି ବି କିଛି ମାଆ ଅଛନ୍ତି ସେମାନେ ମାତୃତ୍ୱର ଧର୍ମ ପାଳନକରି ମହାନ ପାଲଟିଯାଆନ୍ତି। ସେମିତି ଏକ ଖବର ଆସିଛି, ଯିଏ ସାବତ ପୁଅର ଅସ୍ୱଭାବିକ ମୃତ୍ୟୁ ସହ୍ୟ କରିପାରିଲେ ନାହିଁ । ଶେଷରେ ହୃଦଘାତରେ ଆଖି ବୁଜିଦେଲେ । ଏହି ମାଆ-ପୁଅଙ୍କ ସମ୍ପର୍କ ଆଜି ସମାଜକୁ ଗୋଟେ ନୂଆ ବାର୍ତ୍ତା ଦେଇଛି। ଲୋକଙ୍କ ମନରୁ ଭ୍ରାନ୍ତ ଧାରଣା ଦୂର ହୋଇଛି।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବରଗାଁ ପଞ୍ଚାୟତ ମହିବିଲା ଗାଁର କୃଷ୍ଣଚନ୍ଦ୍ର ହରିପାଲଙ୍କ ପୁଅ ହେଉଛନ୍ତି ସୁଶାନ୍ତ ହରିପାଲ। ସେ ଗୋଚ୍ଛାପଡା ଥାନା ଲୁଇସିଂ ପଞ୍ଚାୟତ ରାଞ୍ଜେଣୀ ଗାଁରେ ରହୁଥିବା ତାଙ୍କ ମଉସା ବିଜୟ ଦିଗାଲଙ୍କ ଘରେ ରହୁଥିଲେ। ମଙ୍ଗଳବାର କୌଣସି କାରଣରୁ ସେ ବିଷ ପିଇ ଦେଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବାଲନ୍ଦାପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା।

ଆଜି ସକାଳେ ପୁଅ ମୃତ୍ୟୁ ଖବର ପାଇ ଭାଙ୍ଗି ପଡ଼ିଥିଲେ କଣ୍ଟାମାଳ ଗାଁରେ ରହୁଥିବା ସାବତ ମାଆ ପୋଇନ ହରପାଲ। ପରେ ତାଙ୍କୁ ହୃଦଘାତ ହୋଇଥିଲା। ମେଡ଼ିକାଲ୍‌ ନେବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଗୋଚ୍ଛାପଡ଼ା ଥାନାରେ କୌଣସି ଏତଲା ହୋଇ ନଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚିଛି ପୋଲିସ ।

Get real time updates directly on you device, subscribe now.