fbpx

World Cup ପରେ ବଡ଼ ନିଷ୍ପତ୍ତି ନେବେ ଅଧିନାୟକ! ନେତୃତ୍ୱ ପଦରୁ ଦେଇପାରନ୍ତି ଇସ୍ତଫା

Advertisement

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ରେ ସବୁଠାରୁ ସଫଳ ଦଳ ରହିଛି ଭାରତୀୟ କ୍ରିକେଟ ଟିମ । ରୋହିତଙ୍କ ନେତୃତ୍ୱରେ ପ୍ରଥମ ଦଳ ଭାବରେ ସେମି ଫାଇନାଲରେ ପହଞ୍ଚିଛି ଟିମ ଇଣ୍ଡିଆ । ୮ଟି ମ୍ୟାଚ ଖେଳିଥିବା ବେଳେ ରୋହି୍ତ ସେନା ସମସ୍ତ ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ରାଜ୍ କରୁଛି । କିନ୍ତୁ ଅନ୍ୟ ପକ୍ଷରେ ସେମି ଫାଇନାଲକୁ ଯିବା ପାଇଁ ସଂଘର୍ଷ କରୁଛି ପାକିସ୍ତାନ । ୮ଟି ମ୍ୟାଚ ଖେଳିବା ପରେ ମାତ୍ର ୪ଟି ବିଜୟ ସହ ବାବର ସେନା ବିଶ୍ୱକପରୁ ବାଦ୍ ପଡ଼ିବା ସ୍ତିତିରେ ପହଞ୍ଚି ଯାଇଛି । ତେଣୁ ବର୍ତ୍ତମାନ ବାବରଙ୍କ ହାତରୁ ଅଧିନାୟକ ପଦ ଛଡ଼ାଇ ନେବା ପାଇଁ ଦାବି ଜୋର ଧରିଛି ।

ଚଳିତ ବିଶ୍ୱକପରେ ଆସନ୍ତାକାଲି ଇଂଲଣ୍ଡ ବିପକ୍ଷରେ ଶେଷ ଲିଗ୍ ମ୍ୟାଚ ଖେଳିବ ବାବର ସେନା । ତେବେ ଏହି ମ୍ୟାଚ ପୂର୍ବରୁ ଅଧିନାୟକ ବାବର ଆଜମ ଏକ ବଡ଼ ପ୍ରତିକ୍ରିୟା ଦେଇଛନ୍ତି । ବାବରଙ୍କ ନେତୃତ୍ୱରେ ହିଁ ପାକିସ୍ତାନ ୨୦୨୨ ଟି-୨୦ ବିଶ୍ୱକପର ଫାଇନାଲରେ ପହଞ୍ଚିଥିଲା । କିନ୍ତୁ ଚଳିତ ଟୁର୍ଣ୍ଣାମେଣ୍ଟରେ ଖରାପ ପ୍ରଦର୍ଶନ ଯୋଗୁଁ ବାବରଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ କହିଛନ୍ତି ପୂର୍ବତନ କ୍ରିକେଟର ଶୋଏବ ମଲିକ । ତେବେ ଏ ନେଇ ବାବର କହିଛନ୍ତି ଯେ, ବର୍ତ୍ତମାନ ମୋର ଧ୍ୟାନ ଇଂଲଣ୍ଡ ବିପକ୍ଷ ମ୍ୟାଚ ଉପରେ ରହିଛି । ବିଶ୍ୱକପ ସରିବା ପରେ ପାକିସ୍ତାନ ପେରିଲେ ନେତୃତ୍ୱ ଛାଡ଼ିବା ନେଇ ପିସିବି ସହ ଆଲୋଚନା ହେବ । ତେବେ ଏ ସମ୍ପର୍କରେ ତାଙ୍କ ଉପରେ କୌଣସି ଚାପ ନାହିଁ ବୋଲି କହିଛନ୍ତି ପାକ୍ ଅଧିନାୟକ ବାବର ଆଜମ୍ ।

ଏହାପରେ ସେ କହିଛନ୍ତି ଯେ, ୩ ବର୍ଷରୁ ମୁଁ ଦଳ ନେତୃତ୍ୱ ନେଇଛି । ଟିଭିରେ ବସି କଥା କହିବା ସହଜ, କିନ୍ତୁ ଯେଉଁମାନେ ମୋତେ ପରାମର୍ଶ ଦେବାକୁ ଚାହୁଁଛନ୍ତି, ମୋତେ ଫୋନ୍ କରିପାରିବେ । ତେବେ ଟୁର୍ଣ୍ଣାମେଣ୍ଟରେ ନିଜର ଖରାପ ବ୍ୟାଟିଂ ପ୍ରଦର୍ଶନକୁ ନେଇ ମଧ୍ୟ ସେ ଜବାବ ରଖିଛନ୍ତି । ଭାରତକୁ ପ୍ରଥମ ଥର ଆସିଥିବା ବେଳେ ଏଠାକାର ପରିସ୍ଥିତିକୁ ଖାପ ଖୁଆଇ ବଡ଼ ପାଳି ଖେଳିବା କଷ୍ଟକର ହେଉଛି ବୋଳି ସଫେଇ ଦେଇଛନ୍ତି ପାକ୍ ଅଧିନାୟକ ବାବର । ବର୍ତ୍ତମାନ ପାକିସ୍ତାନ ୪ଟି ବିଜୟରୁ ୮ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି । ତେବେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଏକ ବଡ଼ ବିଜୟ ହାସଲ କଲେ ହିଁ ସେମି ଫାଇନାଲକୁ ପ୍ରବେଶ କରିପାରିବ ପାକିସ୍ତାନ । ଏଥିପାଇଁ ନେଟ୍ ରନ୍ ରେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ।

Get real time updates directly on you device, subscribe now.