ପଞ୍ଚମ ଶ୍ରେଣୀ ଛାତ୍ରର ଆତଙ୍କୀ କାର୍ଯ୍ୟ, କଥା ମାନିଲେନି କ୍ଲାସ୍ ମେଟ୍, ପାଣି ଟାଙ୍କିରେ ମିଶାଇଦେଲା ବିଷ

କର୍ଣ୍ଣାଟକ: ପଞ୍ଚମ ଶ୍ରେଣୀ ଛାତ୍ରର ଅପରାଧିକ ଚିନ୍ତାଧାରା। ଶ୍ରେଣୀର ମନିଟର କରାଯାଇଥିବା ଜଣେ ଛାତ୍ର, ଅନେକ ତାଗିଦ୍ ପରେ ତା କଥା କ୍ଲାସ୍ ମେଟ୍ ମାନେ ଶୁଣୁନଥିଲେ। ଯେଉଁଥିପାଇଁ ଛାତ୍ର ଜଣକ ରାଗିଯାଇଥିଲା।

ଆଉ ରାଗରେ ଗର ଗର ହୋଇ ସହପାଠୀମାନଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ସିଧା ଯାଇ ସ୍କୁଲର ପାଣି ଟାଙ୍କିରେ କୀଟନାଶକ ମିଶାଇ ଦେଲା। ଆଉ ତାପରେ ଘଠଣା କେଉଁ ମୋଡ଼ ନେଲା ଆସନ୍ତୁ ଜାଣିବା।

ପାଣି ଟାଙ୍କିରେ ବିଷ: କର୍ଣ୍ଣାଟକର ଶିବମୋଗା ଜିଲ୍ଲାର ଏକ ସ୍କୁଲର ପାଣି ଟାଙ୍କିରେ ବିଷ ମିଶିଥିବା ଘଟଣା ପୁରା ଅଞ୍ଚଳରେ ଚହଳ ପକାଇଦେଇଥିଲା।  ଅବଶ୍ୟ ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା। ଆଉ ପୋଲିସ ଏହାର ସମାଧାନ କରିଛି।

ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ଘଟଣାଟି ଜୁଲାଇ ମାସ ୩୧ ତାରିଖରେ ଘଟିଥିଲା।  ଯେତେବେଳେ ସରକାରୀ ପ୍ରାଥମିକ ବିଦ୍ୟାଳୟ ହୋଭିନାକୋନର ରୋଷେୟା ଦୀପା ରୋଷେଇ ପାଇଁ ପାଣି ଆଣିବା ବେଳେ ଦେଖିଲେ ପାଣିର ରଙ୍ଗ ବଦଳି ଯାଇଛି।

କେବଳ ପାଣିର ରଙ୍ଗ ବଦଳିନି ବରଂ ପାଣିରୁ ଦୁର୍ଗନ୍ଧ ମଧ୍ୟ ବାହାରୁଛି।  ଏନେଇ ସେ ତୁରନ୍ତ ସ୍କୁଲ ଶିକ୍ଷକ ଏବଂ ସ୍କୁଲ ବିକାଶ ଏବଂ ମନିଟରିଂ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ପାଖରେ ମାମଲା: ପରେ ଏନେଇ ସ୍କୁଲ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ ପାଇଁ ହୋସାନାଗାରା ପୋଲିସରେ ଅଭିଯୋଗ କରିଥିଲେ।  ପରେ ଏହି ଘଟଣା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।  ଯାହାକୁ ମୁଖ୍ୟମନ୍ତ୍ରୀ ଆତଙ୍କୀ କାର୍ଯ୍ୟ ବୋଲି ବିବେଚନା କରିଥିଲେ।

ପଞ୍ଚମ ଶ୍ରେଣୀ ଛାତ୍ରର ଅମାନବୀୟ କାଣ୍ଡ: ପୋଲିସ ତଦନ୍ତ କରିବା ସମୟରେ ଅନେକ ଛାତ୍ରଙ୍କୁ ପଚରାଉଚରା କରିଥିଲା। ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଲା।

ପୋଲିସର କହିବା କଥା, ପଞ୍ଚମ ସ୍ରେଣୀର ଜଣେ ଛାତ୍ରଙ୍କୁ ସ୍କୁଲର ମନିଟର କରାଯାଇଥିଲା।  କିନ୍ତୁ ତାଙ୍କ ସହପାଠୀମାନେ ତାଙ୍କ କଥା ଶୁଣିନଥିବାରୁ ସେ ରାଗିଯାଇଥିଲେ।

ଆଉ ପରେ ଛାତ୍ର ଜଣକ ନିଜ ରାଗର ପ୍ରତିଶୋଧ ନେବା ପାଇଁ ସ୍କୁଲର ପାଣି ଟାଙ୍କିରେ କୀଟନାଶକ ଢାଳି ଦେଇଥିଲେ। ପୋଲିସ କହିଛି ଯେ, ପିଲାଟି ତାଙ୍କ ଘରୁ ଅଦା ଫସଲକୁ ପୋକଙ୍କ କବଳରୁ ରକ୍ଷା କରିବା ପାଇଁ ଯେଉଁ କୀଟନାଶକ ବିଷ ରଖାଯାଇଥିଲା, ତାକୁ ନେଇ ଆସିଥିଲା।

ଏହାସହ ଜୁଲାଇ ୩୧ ତାରିଖ ଦିନ ସକାଳ ୯ଟାରେ କ୍ଲାସ୍ ଆରମ୍ଭ ହେବା ପୂର୍ବରୁ ସ୍କୁଲର ପାଣି ଟାଙ୍କିରେ ସେହି କୀଟନାଶକ ବିଷକୁ ଢ଼ାଳି ଦେଇଥିଲା।

ଦେଖିଥିଲେ ଅନ୍ୟ ଛାତ୍ର: କିଛି ଛାତ୍ର ପିଣି ଟାଙ୍କିରେ ବିଷ ଢ଼ାଳିବା ବେଳେ ପଞ୍ଚମ ଶ୍ରେଣୀ ଛାତ୍ରକୁ ଦେଖିଥିଲେ।  ହେଲେ ଉକ୍ତ ଅଭିଯୁକ୍ତ ଛାତ୍ର ଜଣକ ସେମାନଙ୍କୁ ଧମକ ଦେଇଥିଲା କି, ଯଦି ସେମାନେ ଏହି ଘଟଣା ସମ୍ପର୍କରେ କାହାକୁ କିଛି କୁହନ୍ତି ତାହାଲେ ପରିସ୍ଥିତି ଅତି ଭୟଙ୍କର ହେବ।

ଯାହା ଯୋଗୁଁ ଡରିକି ଛାତ୍ରମାନେ କିଛି କହିନଥିଲେ। କିନ୍ତୁ ପୋଲିସର ପଚରାଉଚରା ପରେ ପ୍ରତ୍ୟେକ୍ଷଦର୍ଶୀ ଛାତ୍ରମାନେ ଏସବୁ ପୋଲିସ ଆଗରେ କହିଦେଇଥିଲେ।

ଏହାପରେ ପୋଲସ ଅଭିଯୁକ୍ତ ଛାତ୍ରକୁ ଦୋଷୀ ସାବ୍ୟସ୍ତ କରି ବାଳ ସୁଧାର ଗୃହକୁ ପଠାଇ ଦେଇଛି। ଏବଂ ପିଲାଟି ଅନ୍ୟ କାହାର ନିର୍ଦ୍ଦେଶରେ ଏହି ପଦକ୍ଷେପ ନେଇଛି କି ନାହିଁ ତାହା ତଦନ୍ତ ଚଳାଇଛି।