fbpx

ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜରେ ବଦଳିବେ ଅଧିନାୟକ! ରୋହିତଙ୍କ ଜାଗା ନେଇପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଭାରତର ପରାଜୟ ପରେ ଟିମ ଇଣ୍ଡିଆ ଏବଂ ଏହାର ପ୍ରଦର୍ଶନକୁ ନେଇ ଆଲୋଚନା ଜୋର ଧରିଛି । ବିଶେଷ କରି ବଡ ଇଭେଣ୍ଟରେ ବାରମ୍ବାର ଫେଲ ମାରିବା ପରେ ଅଧିନାୟକ ରୋହିତଙ୍କୁ ମଧ୍ୟ ଖୁବ ଟ୍ରୋଲର ଶିକାର ହେବାକୁ ପଡିଛି । ତେବେ ଏହାପରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ତେଣୁ ୧୨ ଜୁଲାଇରୁ ଆରମ୍ଭ ହେବାକୁ ଥିବା ଏହି ଟେଷ୍ଟ ସିରିଜରେ ବଦଳିପାରେ ଟିମ୍ ଇଣ୍ଡିଆ । ରୋହିତଙ୍କ ହାତରୁ ଖସିଯାଇପାରେ ଅଧିନାୟକ ପଦ । ତାଙ୍କ ସ୍ଥାନରେ ଆଉ ଜଣେ ଖେଳାଳି ନେତୃତ୍ୱ ନେଇପାରନ୍ତି ।

ୱେଷ୍ଟଇଣ୍ଡିଜ ବିପକ୍ଷ ଦୁଇଟିକିଆ ଟେଷ୍ଟ ସିରିଜରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆ ଯାଇପାରେ । ତେଣୁ ଦଳରେ ଅନ୍ୟ ଜଣେ ଖେଳାଳିଙ୍କୁ ଅଧିନାୟକ ପଦ ଦେଇପାରେ ଭାରତୀୟ କ୍ରିକେଟ ବୋର୍ଡ । ତେବେ ବର୍ତ୍ତମାନ ଦଳରେ ଅଧିନାୟକ ପଦ କିଏ ନେବେ ସେଥିପାଇଁ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହି ତାଲିକାରେ ପୁଣିଥରେ ମୁଖ୍ୟ ଦାବିଦାର ପାଲଟିଛନ୍ତି ଟିମ ଇଣ୍ଡିଆକୁ କମବ୍ୟାକ କରୁଥିବା ପୂର୍ବତନ ଉପ-ଅଧିନାୟକ ଅଜିଙ୍କ୍ୟା ରାହାଣେ । ପୂର୍ବରୁ ସେ ଦଳର ନେତୃତ୍ୱ ଦାୟିତ୍ୱ ନେଇଥିବା ବେଳେ ଦଳ ଭଲ ପ୍ରଦର୍ଶନ ମଧ୍ୟ କରିଛି । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ କିଛି ସିନିୟର ଖେଳାଳିଙ୍କୁ ଆରାମ ଦିଆଯାଇପାରେ ବୋଲି କୁହାଯାଉଛି । ରୋହିତ ଶର୍ମାଙ୍କ ବ୍ୟତୀତ ବିରାଟ କୋହଲି, ମହମ୍ମଦ ଶାମୀ ଏବଂ ମହମ୍ମଦ ସିରାଜ ଏହି ସିରାଜରେ ବିଶ୍ରାମ ପାଇପାରନ୍ତି । ଏମିତି ହେଲେ ଭାରତ ପୁଣିଥରେ ରାହାଣେଙ୍କ ନେତୃତ୍ୱରେ ଏକ ନୂଆ ଏବଂ ୟଙ୍ଗ ଟିମକୁ ନେଇ ମଇଦାନକୁ ଓହ୍ଲାଇବ ।

ତେବେ ଏହି ସିରିଜରେ ଶୁଭମନ ଗିଲଙ୍କ ସହ ଓପନର ଭାବରେ ଯଶସ୍ୱୀ ଜଏସ୍ୱାଲଙ୍କୁ ସୁଯୋଗ ମିଳିପାରେ । ଏହାପରେ ଚେତେଶ୍ୱର ପୂଜାରା ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚରେ ତାଙ୍କର ପ୍ରଦର୍ଶନକୁ ନେଇ ଦଳ ଚିନ୍ତା କରିପାରେ । ତେବେ ତାଙ୍କୁ ବିଶ୍ରାମ ଦିଆଗଲେ ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ସ୍ଥାନରେ ସୁଯୋଗ ମିଳିପାରେ । ଏହି ସିରିଜରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା କମବ୍ୟାକ କରିପାରନ୍ତି ।

ଭାରତର ପ୍ଲେଇଙ୍ଗ ୧୧(ଟେଷ୍ଟ):- ଅଜିଙ୍କ୍ୟା ରାହାଣେ(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଶୁଭମନ ଗିଲ, ଚେତେଶ୍ୱର ପୂଜାରା/ ସୂର୍ଯ୍ୟକୁମାର ଯାଦବ, ରିଦ୍ଧିମାନ ଶାହ/ଇଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱୀନ, ଶାର୍ଦ୍ଦୁଳ ଠାକୁର, ଜୟଦେବ ଉନାଦକଟ ।

Get real time updates directly on you device, subscribe now.