fbpx
BJD SKY
BJD SKY

(Video) ଏଥର କୋରେଇରେ ଆକାଶ ବନାମ ବବିଙ୍କ ମା’: ଝିଲିକଙ୍କୁ ଟିକେଟ ଦେଲାନି ବିଜେଡି

BJD

ଓଡ଼ିଶା ଭାସ୍କର: ଆଗାମୀ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବାକି ଥିବା କୋରେଇ, ଖଣ୍ଡପଡା ଓ ନିଳଗିରି ଆସନ ବିଧାନସଭା ଆସନ ପାଇଁ ଟିକେଟ ଦେଇଛି ଶାସକ ଦଳ । ଏହି ଘୋଷଣାରେ କୋରେଇ ଆସନରେ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସନ୍ଧ୍ୟାରାଣୀ ଦାସଙ୍କୁ ଏହି ଆସନରୁ ଟିକେଟ୍ ଦେଇଛି ଦଳ । ତେବେ ପ୍ରାର୍ଥୀ ଘୋଷଣା ପରେ ବିଜେଡି ଟିକେଟ୍ରେ ମୈଦାନକୁ ଓହ୍ଲାଇଥିବା ସନ୍ଧ୍ୟାରାଣୀ କିଏ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠିଥିଲା । କିନ୍ତୁ ଏହାର ମାତ୍ର କିଛି ସମୟ ପରେ ସବୁ କିଛି ସ୍ପଷ୍ଟ ହୋଇଯାଇଛି । କୋରେଇ ଆସନରୁ ବିଧାୟିକା ପ୍ରାର୍ଥୀ ହୋଇଥିବା ସନ୍ଧ୍ୟାରାଣୀ ହେଉଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଦାସ)ଙ୍କ ମାଆ । ସନ୍ଧ୍ୟାରାଣୀଙ୍କ ଅନ୍ୟ ଏକ ପରିଚୟ ହେଉଛି, ସେ ରାଜ୍ୟ ରାଜନୀତିର ଟାଣୁଆ ନେତା ତଥା ଗୋଟିଏ ସମୟରେ ଜନତା ଦଳର ସଭାପତି ଥିବା ଦିବଂଗତ ଅଶୋକ ଦାସଙ୍କ ପତ୍ନୀ । ତେବେ ପୂର୍ବରୁ ଆଦୌ ଚର୍ଚ୍ଚାରେ ନଥିବା ସନ୍ଧ୍ୟାରାଣୀଙ୍କୁ ହଠାତ୍ କୋରେଇ ବିଧାନସଭା ଆସନରୁ ବିଜେଡି କାହିଁକି ପ୍ରାର୍ଥୀ କଲା ଏବଂ ଏହା ପଛରେ କଣ କାରଣ ରହିଛି ଏହାକୁ ନେଇ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା ।

ଏଥର କୋରେଇ ଆସନରୁ ନିର୍ବାଚନ ଲଢିବା ପାଇଁ ବିଜେଡିରୁ ଅନେକ ଦାବିଦାର ରହିଥିଲେ । ୨୦୧୪ରେ କୋରେଇ ଆସନରୁ ବିଜେଡି ଟିକେଟରେ ଲଢି ବିଜୟୀ ହୋଇଥିଲେ ଆକାଶ ଦାସ ନାୟକ । ୨୦୧୯ରେ ବିଜେଡି ଆକାଶଙ୍କୁ ପ୍ରାର୍ଥୀ କରିନଥିବା ବେଳେ ୨୦୨୪ ନିର୍ବାଚନ ଲଢିବା ପାଇଁ ସେ ଆଶାୟୀ ଥିଲେ । ହେଲେ ସେ ବିଜେଡି ଛାଡି ବିଜେପିରେ ମିଶିଥିଲେ ଏବଂ କୋରେଇରୁ ଲଢିବା ପାଇଁ ଟିକେଟ୍ ହାତେଇଛନ୍ତି । ସେହିପରି କୋରେଇ ବିଧାୟକ ଅଶୋକ ବଳ ମଧ୍ୟ ଏଥର ଏହି ଆସନରୁ ନିର୍ବାଚନ ଲଢିବାକୁ ଆଶାୟୀ ଥିଲେ । ଅନ୍ୟପଟେ କୋରେଇ ବିଧାନସଭା ଆସନରେ ପୂର୍ବରୁ ଘଡେଇ ପରିବାରର ବେଶ୍ ଦବଦବା ରହିଥିଲା । ଏପରିକି ୨୦୦୯ରେ ପ୍ରୀତିରଞ୍ଜନ ଘଡାଇ କୋରେଇ ଆସନରୁ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । ତେଣୁ ଏଥର ଏହି ଆସନରୁ ବିଜେଡି ଟିକେଟ୍ରେ ପ୍ରାର୍ଥୀ ହେବାକୁ ଆଗ୍ରହୀ ଥିଲେ ପ୍ରୀତିରଞ୍ଜନ ଘଡାଇଙ୍କ ପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ବୋହୂ ଝିଲିକ୍ ଭଟ୍ଟାଚାର୍ଯ୍ୟ । ମୁଖ୍ୟମନ୍ତ୍ରୀ ଯଦି ତାଙ୍କୁ ସୁଯୋଗ ଦିଅନ୍ତି ତା’ହେଲେ କୋରେଇ ଆସନରୁ ନିଶ୍ଚୟ ଲଢିବେ ବୋଲି କହିଥିଲେ ଅଭିନେତ୍ରୀରୁ ରାଜନୈତିକ ପରିବାରର ବୋହୂ ସାଜିଥିବା ଝିଲିକ୍ ।

କୋରେଇରୁ ଟିକେଟ୍ ନେବା ପାଇଁ ବବି ଦାସ ଓ ପ୍ରୀତିରଞ୍ଜନ ଘଡାଇଙ୍କ ମଧ୍ୟରେ ଛକାପଞ୍ଝା ଲାଗିଥିବା କୁହାଯାଉଥିଲା । ହେଲେ ଏସବୁ ଭିତରେ କୋରେଇ ବିଧାନସଭା ଆସନରୁ ବିଜେଡି ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ କରିଛି । ଦଳ ଏଠାରୁ ସନ୍ଧ୍ୟାରାଣୀଙ୍କୁ ପ୍ରାର୍ଥୀ କରିବା ପଛର ଏକ ବଡ କାରଣ ହେଉଛି କି ଏହି ଆସନରୁ ପୂର୍ବରୁ ତାଙ୍କ ଦିବଂଗତ ସ୍ୱାମୀ ଅଶୋକ ଦାସ ନିର୍ବାଚନ ଲଢିବା ସହ ବିଜୟୀ ହୋଇଥିଲେ । ତେଣୁ କୋରେଇ ଆସନରେ ଅଶୋକ ଦାସଙ୍କ ନାଁରେ ଏକ ଭୋଟ୍ ବ୍ୟାଙ୍କ ମଧ୍ୟ ରହିଛି । ଯାହାକୁ ଆଧାର କରି ଏଠାରୁ ସନ୍ଧ୍ୟାରାଣୀଙ୍କୁ ବିଜେଡି ଟିକେଟ୍ ଦେଇଥିବା ଚର୍ଚ୍ଚା ହେଉଛି । ଏହା ସହ କୋରେଇ ଆସନରୁ ଲଢିବା ପାଇଁ ଏକାଧିକ ଆଶାୟୀ ପ୍ରାର୍ଥୀ ଥିବାରୁ ଦଳ ଭିତରେ ଯେପରି ଅସନ୍ତୋଷ ନହେବ ସେଥିପାଇଁ ବିଜେଡି ସୁପ୍ରିମୋ ସନ୍ଧ୍ୟାରାଣୀଙ୍କୁ ପ୍ରାର୍ଥୀ କରିଥିବା କୁହାଯାଉଛି । ଅନ୍ୟପଟେ ପ୍ରଣବ ପ୍ରକାଶ ଦାସ ବା ବବି ଏଥର ସମ୍ବଲପୁର ଲୋକସଭା ଆସନରେ ନିର୍ବାଚନ ଲଢୁଛନ୍ତି । ତେଣୁ ଯାଜପୁର ଜିଲ୍ଲା ସଙ୍ଗଠନ ଉପରେ ନିଜର ନିୟନ୍ତ୍ରଣ ରଖିବା ପାଇଁ ସେ ନିଜ ପରିବାରରୁ ଜଣକୁ ପ୍ରାର୍ଥୀ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.