fbpx

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା: ରାଜ୍ୟରେ ଖୋଲିବ ଆଉ ୩ଟି ଭେଷଜ ମହାବିଦ୍ୟାଳୟ

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀ କିପରି ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପାଇ ପାରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ସ୍ୱାସ୍ଥ୍ୟସେବା ଓ ଭେଷଜ ପାଠ୍ୟକ୍ରମକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ବର୍ତ୍ତମାନ ୧୨ଟି ଭେଷଜ ମହାବିଦ୍ୟାଳୟ ରହିଥିବା ବେଳେ ଆଗକୁ ଆଉ ୩ଟିଚ ନୂଆ ଭେଷଜ ମହାବିଦ୍ୟାଳୟ ଖୋଲିବ । ଗୁଣାତ୍ମକ ମାନର ମେଡିକାଲ ଶିକ୍ଷା ସହିତ ଗବେଷଣାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି ।

ଚଳିତ ବର୍ଷ ଶେଷ ଆଡ଼କୁ ରାଜ୍ୟର ଯାଜପୁର ଜିଲ୍ଲାରେ ଗୋଟିଏ ଭେଷଜ ମହାବିଦ୍ୟାଳୟ ଖୋଲିବାକୁ ଥିବାବେଳେ ଆସନ୍ତା ବର୍ଷ ଫୁଲବାଣୀ ଓ ଅନୁଗୁଳରେ ଖୋଲିବ ବୋଲି ଜଣାପଡ଼ିଛି । ଏଥିସହିତ ରାଜ୍ୟରେ ବର୍ତ୍ତମାନ ୨ଟି ପିଜି ଅନୁଷ୍ଠାନ ରହିଥିବା ବେଳେ ୨୦୨୫ରେ ପିଜିଆଇଏମଇଆର ଆଣ୍ଡ କ୍ୟାପିଟାଲ ହସ୍ପିଟାଲରେ ନୂଆ ୪ଟି ବିଭାଗରେ ପିଜି ପାଠ୍ୟକ୍ରମ ସାମିଲ ହେବ । ୨୦୩୦ ସୁଦ୍ଧା ଓଡ଼ିଶା ଡାକ୍ତର ବଳକା ରାଜ୍ୟ ହେବ ବୋଲି ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟର ପ୍ରମୁଖ ଭେଷଜ ମହାବିଦ୍ୟାଳୟଗୁଡ଼ିକୁ ଏସସିବି ଓ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ସହିତ ସଂଯୋଗ କରାଯିବ । ରୋଗୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ହେଲେ ଭଲ ଡାକ୍ତରଙ୍କର ଆବଶ୍ୟକତା ରହିଛି । ତେଣୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଗୁରୁତ୍ୱ ଦିଆଯିବ । ଛାତ୍ରଛାତ୍ରୀମାନେ ଆଭାସୀ ଜରିଆରେ କିପରି ସମାନ ପାଠ ପଢ଼ିପାରିବେ ତା’ ଉପରେ ଗୁରୁତ୍ୱ ଦିଆଯିବ । ରାଜ୍ୟରେ ନୂଆ ପିଜି ବିଭାଗ ଖୋଲିବା ସହିତ ସୁପରସ୍ପେଶିଆଲିଷ୍ଟ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟରେ ନିୟମିତ ଡାକ୍ତରଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ନିଯୁକ୍ତି ଦେଉଥିବା ବେଳେ ଏବେ ପ୍ରତି ଭେଷଜ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଡିନମାନଙ୍କୁ ଚୁକ୍ତିଭିତ୍ତିରେ ନିଯୁକ୍ତି ନେଇ ପଦକ୍ଷେପ ନିଆଯିବ । ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇ ଶଯ୍ୟାସଂଖ୍ୟା ବୃଦ୍ଧି କରାଯିବ ।

Get real time updates directly on you device, subscribe now.