ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିବାର ୬ ମାସ ପରେ ସାମ୍ନାକୁ ଆସିଛନ୍ତି ଭି. କାର୍ତ୍ତିକ ପାଣ୍ଡିଆନ୍ । ନଭେମ୍ବର ୨୭ ତାରିଖ ବୁଧବାର ଦିନ କଟକ ନିକଟ ତ୍ରିଶୁଳିଆ ଠାରେ ଥିବା ଏକ ବିବାହ କାର୍ଯ୍ୟକ୍ରମରେ ଅଚାନକ ଦୃଶ୍ୟମାନ ହୋଇଥିଲେ ପାଣ୍ଡିଆନ । ତେବେ ଓଡ଼ିଶା ରାଜନୀତିରେ ଏକଦା ଚର୍ଚ୍ଚିତ ଚେହେରା ଥିବା ପାଣ୍ଡିଆନ୍ ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ପରେ ଅଚାନକ ଭାବେ ଜନମାନସରୁ ଉଭେଇ ଯାଇଥିଲେ । ସେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ।
ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଝିଅ ବିବାହ କାର୍ଯ୍ୟକ୍ରମରେ ଅଚାନକ ଭାବେ ଦେଖିବାକୁ ମିଳିଥିଲା ପାଣ୍ଡିଆନଙ୍କୁ । ଉକ୍ତ କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଭରିଯାଇଥିଲା । ଉକ୍ତ ଉତ୍ସବରେ କିଛି ସମୟ ରହି ତା’ପରେ ପାଣ୍ଡିଆନ୍ ଫେରିଯାଇଥିଲେ । ଉକ୍ତ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡି ଓ ବିଜେପିରେ ଅନେକ ନେତା ସାମିଲ ହୋଇଥିଲେ ।
ତେବେ ଏହା ମଧ୍ୟରେ ନଭେମ୍ବର ମାସ ୨୭ ତାରିଖକୁ ନେଇ ଏବେ ବଡ଼ ଚର୍ଚ୍ଚା ହେବାରେ ଲାଗିଛି । ସମାନ ମାସ ଆଉ ସମାନ ସମୟ ସତେ ଯେମିତି ପାଣ୍ଡିଆନଙ୍କ ଜୀବନରେ ଏକ ବିରଳ ଇତିହାସ ଲେଖିଛି । ପ୍ରଥମଟି ହେଉଛି- ୨୦୨୩ ମସିହା ନଭେମ୍ବର ୨୭ ତାରିଖରେ ପାଣ୍ଡିଆନ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିଲେ । ଦ୍ୱିତୀୟଟି ହେଉଛି, ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ୬ ମାସର ଛୁଟି ସସାରି ନଭେମ୍ବର ୨୭ରେ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଇଥିଲେ । ତୃତୀୟଟି ହେଉଛି, ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଦୀର୍ଘଦିନ ପରେ ପ୍ରଥମ ଥର ନଭେମ୍ବର ୨୭ରେ ପାଣ୍ଡିଆନ୍ ସର୍ବସାଧାରଣ ସ୍ଥାନକୁ ଆସିଥିଲେ ।