fbpx

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: ଦେବ ଦେବ ମହାଦେବଙ୍କ ପୂଜାବିଧି ଓ ମହିମା ସମ୍ପର୍କରେ ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ବର୍ଷର ପଞ୍ଚମ ମାସ ଶ୍ରାବଣ ମାସ ଆରମ୍ଭ ହୋଇସାରିଛି । ଶ୍ରାବଣ ମାସ ପ୍ରତ୍ୟେକ ସୋମବାରର ବିଶେଷ ମହତ୍ତ୍ୱ ରହିଥାଏ । ପୁରାଣ ଅନୁସାରେ, ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରାବଣ ମାସକୁ ସର୍ବୋତ୍ତମ ଭାବେ ଗ୍ରହଣ କରାଯାଇଥାଏ । ଯେଉଁ ଭକ୍ତ ସୋମବାର ବ୍ରତ ରଖି ଭଗବାନ ଭୋଲେନାଥଙ୍କ ଜଳାଭିଷେକ ଓ ପୂଜା ବିଧି ବିଧାନରେ କରିବ, ତା’ର ସମସ୍ତ ଦୁଃଖ ଦୂର ହୋଇଯିବ ।

ଚଳିତ ଥର ଶ୍ରାବଣ ମାସରେ ଚାରିଟି ସୋମବାର ପଡ଼ିବ । ପବିତ୍ର ଶ୍ରାବଣ ମାସ ଦେବ ଦେବ ମହାଦେବଙ୍କର ହେଉଛି ପ୍ରିୟ ମାସ । ଏହି ସମୟରେ ଜଟାଧାରୀ ଅତ୍ୟନ୍ତ ମନୋହାରୀ ଓ କାରୁଣିକ ହୋଇ ଉଠନ୍ତି । ଭକ୍ତଙ୍କ ଗହଳିରେ ଶୈବପୀଠଗୁଡ଼ିକ ଶିବମୟ ଓ ଆନନ୍ଦମୟ ହୋଇଉଠେ । କରୁଣାମୟ ଶିବଙ୍କ ଆଶିର୍ବାଦ ପାଇବା ପାଇଁ ଶିବଭକ୍ତମାନେ ତତ୍ପର ହୋଇ ଉଠନ୍ତି ।

କାହିଁ କେଉଁ ଅନାଦି କାଳରୁ ଶ୍ରାବଣ ମାସର ଶିବ ପୂଜା ପରମ୍ପରା ଚାଲି ଆସୁଛି । ଏହି ସମୟରେ ଭକ୍ତମାନେ ଗୋଟିଏ ଥର ଭୋଜନ କରିଥାନ୍ତି । ଏହି ମାସରେ ଶିବଙ୍କୁ ପୂଜା କଲେ ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଓଡ଼ିଶାରେ ଲିଙ୍ଗରାଜ, ଲୋକନାଥ, କପିଳାସ, ଗୁପ୍ତେଶ୍ୱର, ଆଖଣ୍ଡଳମଣି, ଧବଳେଶ୍ୱର ଆଦି ଅନେକ ଶୈବ ପୀଠ ରହିଛି । ଏହି ପୀଠଗୁଡ଼ିକରେ ଲକ୍ଷ ଲକ୍ଷ ସଂଖ୍ୟାରେ ଶୈବ ଭକ୍ତମାନେ ଜଳଲାଗି କରିଥାନ୍ତି ।

ଧର୍ମଶାସ୍ତ୍ର ଅନୁଯାୟୀ, ‘ନମସ୍କାରେ ପ୍ରିୟ ଭାନୁ, ଜଳଧାରେ ପ୍ରିୟ ଶିବ’ । ଅନ୍ୟାନ୍ୟ ପୂଜାର୍ଚ୍ଚନା କରିବା ବଦଳରେ ଶିବଙ୍କ ମସ୍ତକରେ ଜଳାଭିଷେକ କଲେ ସେ ତୃପ୍ତ ହୋଇଥାନ୍ତି । ବୈଦିକ ଯୁଗରୁ ଶିବଙ୍କ ମସ୍ତକର ଜଳଲାଗି ପ୍ରଥା ରହି ଆସିଛି । କାଉଡ଼ିଆମାନେ ପବିତ୍ର ନଦୀମାନଙ୍କରୁ ଜଳାଭାର ଉଠାଇ ନଦୀଘାଟରେ ଥିବା ଦେବାଦେବୀ ମନ୍ଦିର କିମ୍ବା ବାଲିରେ ଲିଙ୍ଗ ସ୍ଥାପନା କରି ଜଳପୂର୍ଣ୍ଣ କଳସୀ ସହ ସଂକଳ୍ପ କରିଥାନ୍ତି ।

ଏହାପରେ ଜଳଭାର ନେଇ କାଉଡ଼ିଆମାନେ ନିଜ ଗନ୍ତବ୍ୟ ପଥକୁ ଖାଲି ପାଦରେ ଚାଲି ଚାଲି ଯାଇଥାନ୍ତି । ସେମାନେ ଜଳଭାରକୁ ସୁରକ୍ଷିତ ଭାବେ ନେଇ ଠିକଣା ସ୍ଥାନରେ ପହଞ୍ଚାଇଥାନ୍ତି । ଏଥିରେ ସାମାନ୍ୟ ଅବହେଳା କଲେ ସେମାନଙ୍କର ଯାତ୍ରା ଅଧୁରା ରହିଯାଇଥାଏ । ରାସ୍ତାରେ ଜଳଭାର ଧରି ଯିବା ସମୟରେ କାଉଡ଼ିଆମାନେ ଜଳଭାରକୁ ଭୂମି ସ୍ପର୍ଶ ନ କରି ଏକ ଉଚ୍ଚସ୍ଥାନରେ ଝୁଲାଇ ରଖିଥାନ୍ତି । ବିଶ୍ରାମ ପରେ ପୁଣି ସ୍ନାନ ପୂର୍ବକ ଧୂପ, ଦୀପ ଜଳାଇ କାଉଡ଼ିଆମାନେ ଜଳଭାର ଧରି ଯାତ୍ରା ଆରମ୍ଭ କରିଥାନ୍ତି ।

କାହିଁ କେତେ ଦୂରଦୂରାନ୍ତ ପର୍ଯ୍ୟନ୍ତ ଜଳଭାର ଧରି ଯାତ୍ରା କରିବା ସମୟରେ କାଉଡ଼ିଆମାନେ ଶିବଙ୍କ ଭଜନ କୀର୍ତ୍ତନ କରିଥାନ୍ତି । ବୋଲବମ୍ ଯାତ୍ରା ସମୟରେ ମଦ, ଭାଙ୍ଗ, ଗଞ୍ଜେଇ ପରି ନିଶା ସେବନ କରାଯାଇ ନଥାଏ । କାଉଡ଼ିଆମାନେ ଦଳ ଦଳ ହୋଇ ଯାତ୍ରା କରିବା ସମୟରେ ଯେପରି କୌଣସି ଦୁର୍ଘଟଣା ନ ଘଟେ, ସେଥିପ୍ରତି ନଜର ଦେବା ଆବଶ୍ୟକ । ଯେଉଁସ୍ଥାନରେ ଜଳାଭିଷେକ ହେବ ସେଠାରେ କାଉଡ଼ିଆମାନେ ସମସ୍ତ ପ୍ରକାରର ନୀତି ନିୟମକୁ ମାନିବା ସହ ନୂତନ ବସ୍ତ୍ର ପିନ୍ଧି ନିଜେ ଶୁଦ୍ଧିପୂତ ରହିବା ଆବଶ୍ୟକ ।

Get real time updates directly on you device, subscribe now.