fbpx

ଏହି ଦିନରୁ ଶସ୍ତା ହୋଇଯିବ ବିଲାତି! ଟମାଟୋ ଦରରେ ବ୍ରେକ ଲଗାଇବାକୁ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଟମାଟୋ ଦରକୁ ନେଇ ଚିନ୍ତାରେ ଖାଉଟି । ଟମାଟୋର ଆକାଶଛୁଆଁ ଦର ଗ୍ରାହକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ଏହା ସିଧାସଳଖ ଭାବରେ ସାଧାରଣ ଜନତାଙ୍କ ପକେଟ ଏବଂ ହାଣ୍ଡିଶାଳକୁ ପ୍ରଭାବିତ କରିଛି । ତେବେ ଏହି ସମସ୍ୟା ଆଉ ବେଶୀ ଦିନ ଭୋଗିବେ ନାହିଁ ଖାଉଟି । ଆଉ ବାସ୍ କେଇଟା ଦିନ ମଧ୍ୟରେ ଟମାଟୋ ପୁଣି ପୂର୍ବ ଭଳି ଶସ୍ତା ହୋଇଯିବ । ପୁଣି କମ୍ ଦାମରେ ନିଜ ମନ ପସନ୍ଦର ପରିବା ଟମାଟୋ ଖାଇପାରିବେ ଗ୍ରାହକ । ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଏକ ଯୋଜନା ପ୍ରସ୍ତୁତ କରାଯାଉଛି । ଫଳରେ କେଇଟା ଦିନ ଭିତରେ ଏହି ଟମାଟୋ ଦର ହ୍ରାସ ପାଇବ ।

ରିପୋର୍ଟ ଅନୁସାରେ, ଜୁଲାଇ ୧୪ ଅର୍ଥାତ ଶୁକ୍ରବାରଠାରୁ କମିବ ଟମାଟୋର ବର୍ଦ୍ଧିତ ମୂଲ୍ୟ । ତେଣୁ ଜୁଲାଇ ୧୪ ତାରିଖରୁ ଦିଲ୍ଲୀର ଏନସିଆରରେ ଖୁଚୁରା ଦୋକାନମାନଙ୍କରେ କମ୍ ଦାମରେ ଟମାଟୋ ଯୋଗାଇ ଦିଆଯିବ । ଏ ନେଇ ଉପଭୋକ୍ତା ମାମଲାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରିପୋର୍ଟ ଅନୁସାରେ, ବୁଧବାର ସହକାରୀ ସମିତି ନେଫେଡ(ଏନଏଏଫଇଡି) ଏବଂ ଏନସିସିଏଫକୁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରୁ ଟମାଟୋ କିଣିବା ସହ ପ୍ରମୁଖ ଉପଭୋକ୍ତା କେନ୍ଦ୍ର ଆଦିରେ ବିତରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦେଶର ବିଭିନ୍ନ ସ୍ଥାନରେ ଟମାଟୋର ଖୁଚୁରା ମୂଲ୍ୟ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ତୁରନ୍ତ ଟମାଟୋ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଖାଉଟି ବ୍ୟାପାର ବିଭାଗ, ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଏବଂ ଜାତୀୟ ସମବାୟ ଖାଉଟି ମହାସଂଘକୁ ଏହି ୩ଟି ରାଜ୍ୟର ମଣ୍ଡିଗୁଡ଼ିକରୁ ଶୀଘ୍ର ଟମାଟୋ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁ ସ୍ଥାନଗୁଡ଼ିକରେ ଟମାଟୋର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି, ସେହି ସବୁ ସ୍ଥାନକୁ ଏହା ଯୋଗାଇ ଦିଆଯିବ । ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତିରେ କହିଛି, ଯେଉଁ ସ୍ଥାନଗୁଡ଼ିକୁ ଟମାଟୋ ପଠାଯିବ ସେଗୁଡ଼ିକୁ ଚିହ୍ନଟ କରାଯାଇ ସାରିଛି । ମନ୍ତ୍ରଣାଳୟ କହିଛି ଟମାଟୋ ଚାଷ ତଥା ଅମଳରେ ଅସ୍ୱଭାବିକତା ଦେଖାଦେଇଥିବାରୁ ଏହାର ମୂଲ୍ୟ ବୃଦ୍ଧି ପାଇଛି । ଏହା ସହିତ ପାଣିପାଗରେ ପରିବର୍ତ୍ତନ ଯୋଗୁଁ ମଧ୍ୟ ଟମାଟୋର ମୂଲ୍ୟ ବୃଦ୍ଧି ପାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.