fbpx

ବୃଦ୍ଧଙ୍କ ମାଡ଼ମରା ଭାଇରାଲ୍ ଭିଡ଼ିଓ ଘଟଣା: ଭର୍ଚୁଆଲରେ ପଚରାଉଚରା ପାଇଁ ଟୁଇଟର୍ ରାଜି, କିନ୍ତୁ ସନ୍ତୁଷ୍ଟ ନୁହଁ ପୁଲିସ୍

ପୁଣି ଟୁଇଟର୍ କୁ ପଠାଯିବ ନୋଟିସ୍

Advertisement

ନୂଆଦିଲ୍ଲୀ: ବଢ଼ିଚାଲିଛି ଟୁଇଟର୍ ବିବାଦ । ଦିନକୁ ଦିନ ନୂଆ ନୂଆ ସମସ୍ୟାର ସମ୍ମୁଖୀନ କରୁଛି ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ । ୟୁପିର ଗାଜିଆବାଦ୍ ଜିଲ୍ଲାରେ ମୁସଲିମ୍ ବୃଦ୍ଧଙ୍କ ସହ ହୋଇଥିବା ହିଂସା ମାମଲାରେ ଟୁଇଟର୍ ପାଇଁ ଅଡୁଆ ବଢ଼ିଚାଲିଛି । ଭାଇରାଲ୍ ଭିଡିଓ ମାମଲାରେ ଟୁଇଟର୍ ପୁଲିସ୍ କୁ କହିଥିଲା ଯେ ସେ ଭିଡିଓ କନଫରେନ୍ସ ମାଧ୍ୟମରେ ହେବାକୁ ଥିବା ପଚରାଉଚରା ପାଇଁ ପ୍ରସ୍ତୁତ ରହିଛି । ହେଲେ ଟୁଇଟର୍ ର ଜବାବ୍ ରେ ପୁଲିସ୍ ସନ୍ତୁଷ୍ଟ ହୋଇପାରିନି । ତେଣୁ ପୁଣିଥରେ ଟୁଇଟର୍ କୁ ନୋଟିସ୍ ପଠାଇବେ ବୋଲି କୁହାଯାଉଛି ।

ତେବେ ଏହି ମାମଲାରେ ପୁଲିସ୍ ଟୁଇଟର୍ ସମେତ ଅନ୍ୟ ୯ ଜଣଙ୍କ ନାମରେ ଏଫଆଇଆର୍ ରୁଜୁ କରିଛି । ଏଥିମଧ୍ୟରେ ସମ୍ବାଦ ଏଜେନ୍ସି ଦ ୱାୟାର୍ ସାମିଲ ଥିବା ବେଳେ ତାକୁ ନୋଟିସ୍ ଜାରି ପଠାଯାଇସାରିଛି । ଏଥିସହିତ ଅନ୍ୟ ମାନଙ୍କୁ ନୋଟିସ୍ ପଠାଯିବା ନେଇ ପ୍ରସ୍ତୁତି ଚାଲିଛି । ଜଣେ ମୁସଲମାନ ବୃଦ୍ଧଙ୍କ ପ୍ରତି ହିଂସା ମାମଲାରେ ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି କରିଥିବାରୁ ଗାଜିଆବାଦ ପୁଲିସ୍ ଟୁଇଟର୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକଙ୍କୁ ଏକ ଆଇନଗତ ନୋଟିସ ପଠାଇଛି । ଭାରତର ଟୁଇଟର୍ ପରିଚାଳନା ନିର୍ଦ୍ଦେଶକ ମନୀଷ ମହେଶ୍ୱରୀଙ୍କୁ ଏହି ବିଜ୍ଞପ୍ତି ପଠାଯାଇଛି । ଯେଉଁଥିରେ ତାଙ୍କୁ ଲୋନି ପୁଲିସ୍ ଷ୍ଟେସନକୁ ଡକାଯାଇ ଏକ ସପ୍ତାହ ମଧ୍ୟରେ ତାଙ୍କ ବୟାନ ରେକର୍ଡ କରିବାକୁ କୁହାଯାଇଥିଲା । ଗାଜିଆବାଦ ପୁଲିସ୍ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଟୁଇଟର୍ ବିରୋଧରେ ପୁଲିସ୍ ଷ୍ଟେସନରେ ମାମଲା ରୁଜୁ ହୋଇଛି । ଯେଉଁଥିରେ କୁହାଯାଇଛି ଯେ ଟୁଇଟର୍ ମାଧ୍ୟମରେ କିଛି ଲୋକ ସମାଜରେ ଘୃଣାତ୍ମକ ମନୋଭାବ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଟୁଇଟର୍ ଏହାକୁ ରୋକିବା ପାଇଁ କିଛି ବି କରି ନଥିଲା ।

ଅନଲାଇନ୍ ନ୍ୟୁଜ ପୋର୍ଟାଲ୍ ପ୍ଲାଟଫର୍ମ ପାଇଁ ସରକାରଙ୍କ ନୂତନ ନିୟମ ଲାଗୁ ହେବା ପରେ ସୋସିଆଲ୍ ମିଡିଆ ଦିଗଜ ମାନଙ୍କ ବିରୋଧରେ ଏହା ହେଉଛି ପ୍ରଥମ ମାମଲା । କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଗତ ସପ୍ତାହରେ ସୋସିଆଲ ମିଡିଆକୁ ଟାର୍ଗେଟ କରି କହିଥିଲେ ଯେ, “ୟୁପିରେ ଯାହା କି କିଛି ହେଲା ତାହା ଫେକ୍ ନ୍ୟୁଜ୍ ବିସ୍ତାର କରିବା ବିରୋଧରେ ଲଢ଼ିବା ଦିଗରେ ଟୁଇଟର୍ କରୁଥିବା ଅବହେଳାକୁ ଦର୍ଶାଏ” ।

ଉଲ୍ଲେଖନୀୟ ଯେ, ଦିଲ୍ଲୀ ନିକଟରେ ଥିବା ଗାଜିଆବାଦର ଲୋନିରେ ସଂଖ୍ୟାଲଘୁ ବର୍ଗର ବୃଦ୍ଧଙ୍କୁ ପ୍ରହାର କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ପୀଡିତ ବୃଦ୍ଧ ଜଣଙ୍କ ଏକ ଖଟ ଉପରେ ବସିଛନ୍ତି ଓ ତାଙ୍କୁ ଦୁଇ ଜଣ ଘେରି ରହିଛନ୍ତି । ଜଣେ ଯୁବକଙ୍କର ହାତରେ ଏକ କଇଞ୍ଚି ଅଛି । ସେହି ସମୟରେ ଆଉ ଜଣେ ଯୁବକ ବାର ବାର ତାଙ୍କୁ ଚାପୁଡା ମାରୁଛି । ସେତେବେଳେ ପ୍ରଥମ ଯୁବକ ଜଣଙ୍କ ସେହି ସମୟରେ ତାଙ୍କ ଦାଢ଼ି କାଟି ଦେଉଛି । ଅଭିଯୁକ୍ତ ଜଣଙ୍କ ତାଙ୍କୁ ପାକିସ୍ତାନର ଗୁପ୍ତଚର କହି ମାଡ ମାରିଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ଲୋନି ପୋଲିସ୍ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ପ୍ରଭେଶ ଗୁଜରାଙ୍କୁ ଗିରଫ କରିଥିଲା । ଏହି ଘଟଣା ୫ ଜୁନର ହୋଇଥିବା ବେଳେ ବୁଲନ୍ଦ ସହରରେ ରହୁଥିବା ବାସିନ୍ଦା ଅବଦୁଲ ସମଦା ଲୋନି ଆସି ଏକ ମସଜିଦ୍ ଯିବାକୁ ଅଟୋରେ ବସିଥିଲେ । ପରେ ତାଙ୍କୁ ନେଇ ପ୍ରଥମେ ପିଟିଥିଲେ ଏବଂ କଇଞ୍ଚି ସାହାର୍ୟ୍ୟରେ ଦାଢି କାଟିଥିଲେ ।

Get real time updates directly on you device, subscribe now.