fbpx

ONGCକୁ ବଡ଼ ସଫଳତା: ମହାନଦୀ ଅବବାହିକାରେ ଦୁଇଟି ପ୍ରାକୃତିକ ଗ୍ୟାସ କ୍ଷେତ୍ରର ସନ୍ଧାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରର ଗଭୀର ଜଳରେ ଦୁଇଟି ଗ୍ୟାସ କ୍ଷେତ୍ର ଠାବ କରାଯାଇଛି । ଭାରତୀୟ ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମ (ଓଏନଜିସି) ପକ୍ଷରୁ ଏହି ସଫଳ ହାସଲ କରାଯାଇଛି । ମହାନଦୀ ଅବବାହିକାରେ ଦୁଇଟି ପ୍ରାକୃତିକ ଗ୍ୟାସ କ୍ଷେତ୍ର ଠାବ କରାଯାଇଛି । ପ୍ରଥମ ଗ୍ୟାସ କ୍ଷେତ୍ର ୭୧୪ ମିଟର ଗଭୀର ଜଳରେ ରହିଥିବା ବେଳେ ଦ୍ୱିତୀୟ କ୍ଷେତ୍ରଟି ୧୧୧୦ ମିଟର ଗଭୀର ଜଳରେ ରହିଥିବା ଠାବ କରାଯାଇଛି ।

ତେବେ ପ୍ରଥମ ଗ୍ୟାସ କ୍ଷେତ୍ରରୁ ଦୈନିକ ୩ ଲକ୍ଷ କ୍ୟୁବିକ ମିଟରରୁ ଅଧିକ ଗ୍ୟାସ୍ ବାହାରିଥିଲା । ଜାତୀୟ ନିରାପତ୍ତା ଦୃଷ୍ଟିକୋଣରୁ ସେହି ଅଞ୍ଚଳକୁ ‘ପ୍ରବେଶ ନିଷିଦ୍ଧ’ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଏହି ଗ୍ୟାସ କ୍ଷେତ୍ରର ଆବିଷ୍କାର ସମ୍ପର୍କରେ କମ୍ପାନୀ ପକ୍ଷରୁ ହାଇଡ୍ରୋକାର୍ବନ ମହାନିର୍ଦ୍ଦେଶାଳୟକୁ ଅବଗତ କରାଯାଇଛି । ବାଣିଜ୍ୟିକ ଦୃଷ୍ଟିକୋଣରୁ ଏହି ଦୁଇ ବ୍ଲକ କେତେ ଲାଭଦାୟକ ହୋଇପାରିବ ସେନେଇ ତର୍ଜମା କରାଯାଉଛି ।

ନିଜର ଗ୍ୟାସ ଆବଶ୍ୟକତାର ୫୦ ପ୍ରତିଶତ ଭାରତ ଆମଦାନୀ କରୁଥିବା ବେଳେ ଏହି ଗ୍ୟାସ କ୍ଷେତ୍ର ଠାବ ହେବା ଦେଶକୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ ବେଶ୍ ସହାୟକ ହୋଇପାରିବ ବୋଲି କୁହାଯାଉଛି । ଏହା ଦେଶର ଶକ୍ତି ସୁରକ୍ଷାକୁ ସୁନିଶ୍ଚିତ କରିବ । ବର୍ତ୍ତମାନ ଶକ୍ତି କ୍ଷେତ୍ରରେ ପ୍ରାକୃତିକ ଗ୍ୟାସର ଭାଗ ୬.୩ ପ୍ରତିଶତ ରହିଥିବା ବେଳେ ଆଗାମୀ ୨୦୨୩ ସୁଦ୍ଧା ତାହାକୁ ୧୫ ପ୍ରତିଶତରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ୨୦୭୦ ସୁଦ୍ଧା ଭାରତକୁ ନେଟ୍ ଜିରୋ ଦେଶରେ ପରିଣତ କରିବାକୁ ଯେଉଁ ଯୋଜନା କରାଯାଇଛି ସେ କ୍ଷେତ୍ରରେ ପ୍ରାକୃତିକ ଗ୍ୟାସର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଗଭୀର ଜଳରେ ଥିବା ଗ୍ୟାସ କ୍ଷେତ୍ରକୁ ଠାବ ପାଇଁ ଗତବର୍ଷ ଓଏନଜିସି ପକ୍ଷରୁ ଫ୍ରାନ୍ସର ଟୋଟାଲ ଗ୍ୟାସ୍ ସହିତ ବୁଝାମଣା କରାଯିବା ସହିତ ଗ୍ୟାସ୍ କ୍ଷେତ୍ରର ସନ୍ଧାନ କାର୍ଯ୍ୟରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଇଥିଲା ।

Get real time updates directly on you device, subscribe now.