ନୂଆଦିଲ୍ଲୀ: ଦେଶର ଶିକ୍ଷା କ୍ଷେତ୍ରର ବିକାଶ ଓ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେନ୍ଦ୍ର ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଜାତୀୟ ଶିକ୍ଷାନୀତି (ଏନଇପି)୨୦୨୦ ଅନୁସାରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନୂଆ ନିୟମ ଜାରି କରାଯାଉଛି । ତେବେ ଅନେକ ସମୟରେ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କର ସାମାନ୍ୟ ଭୁଲ ପାଇଁ ଅନେକ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଥାଏ ।
ସୂଚନା ମୁତାବକ, ଫର୍ଜି ଶିକ୍ଷାନୁଷ୍ଠାନକୁ ନେଇ ୟୁଜିସି ପକ୍ଷରୁ ଚେତାବନୀ ଜାରି କରାଯାଇଛି । ଏପରି ଶିକ୍ଷାନୁଷ୍ଠାନ ତଥା ମେଡିକାଲ କଲେଜରେ ଆଡମିଶନ ନକରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଗତବର୍ଷ ୧୮ ଲକ୍ଷ ଛାତ୍ରଛାତ୍ରୀ ନିଟ୍ ୟୁଜି ପରୀକ୍ଷା ଦେଇଥିଲେ ହେଁ ବହୁତ କମ୍ ସଂଖ୍ୟକ ପିଲା ସରକାରୀ ଓ ପ୍ରାଇଭେଟ ମେଡିକାଲ କଲେଜରେ ପ୍ରବେଶ ସୁଯୋଗ ପାଇଥାନ୍ତି ।
ତେଣୁ ଏଭଳି ସ୍ଥିତିରେ କିଛି ନକଲି ମେଡିକାଲ କଲେଜରେ ନାମଲେଖାଇ ଛାତ୍ରଛାତ୍ରୀମାନେ ଫଶି ଯାଇଥାନ୍ତି । ଫଳରେ ଅକାରଣରେ ସେମାନଙ୍କର କ୍ୟାରିୟର ବର୍ବାଦ ହୋଇଯାଇଥାଏ । ‘ଓପନ ଇଣ୍ଟରନ୍ୟାସନାଲ ୟୁନିଭରସିଟି ଫର ଅଲଟରନେଟିଭ ମେଡିସିନ’ ଓ ‘ନ୍ୟାସନାଲ ବୋର୍ଡ ଅଫ୍ ଅଲଟରନେଟିଭ୍ ମେଡିସିନ, କୁଟ୍ଟଲମ’କୁ ନେଇ ଏହି ଚେତାବନୀ ଜାରି କରାଯାଇଛି ।
ଏହି ସେଲଫ-ଷ୍ଟାଇଲଡ ଶିକ୍ଷାନୁଷ୍ଠାନରେ ଆଡମିଶନ ନକରିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି । ଏହି ୟୁନିଭରସିଟି ଓ ବୋର୍ଡ ନିକଟରେ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବାର ଅଧିକାର ନାହିଁ । କାରଣ ୟୁଜିସିର ଆକ୍ଟର ସେକ୍ସନ ଅନୁଯାୟୀ ଏହି ଦୁଇଟି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇନାହିଁ । ଏପରିକି ଏହି ସଂସ୍ଥାଗୁଡ଼ିକ ଓପନ ନାମ ସହିତ ୟୁନିଭରସିଟି ଶବ୍ଦର ବ୍ୟବହାର କରିବାକୁ ଅନୁମତି ପାଇନାହାନ୍ତି ବୋଲି ୟୁଜିସି ପକ୍ଷରୁ କୁହାଯାଇଛି ।