fbpx

ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ହେବା ଜରୁରୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାରେ ରହିବା ପରେ ପ୍ରଥମ ଥର ବିଜେଡି କ୍ଷମତାଚ୍ୟୁତ ହୋଇଥିଲା ବିଜେପି । ଅନ୍ୟପକ୍ଷରେ ରାଜ୍ୟରେ ପ୍ରଥମ ଥର ବିଜେପି ଏକାକୀ ସରକାର ଗଠନ କରିଥିଲା ଓ ମୋହନ ଚରଣ ମାଝୀ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏଥିସହିତ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ଉଭୟେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ଅନେକ ନୂଆ ପଦକ୍ଷେପ ଗ୍ରହଣ କରିଥିଲା । ପୂର୍ବ ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା ଅନେକ ଯୋଜନାକୁ ବନ୍ଦ କରାଯିବା ସହିତ ତାହାକୁ ନୂଆ ରୂପରେ କାର୍ଯ୍ୟକାରୀ କରାଯାଉଛି ।

ଏଥିସହିତ କିଛି ଯୋଜନାର ନାଁ ମଧ୍ୟ ପରିବର୍ତ୍ତନ କରାଯାଉଥିବାର ଦେଖାଯାଉଛି । ଏପରିକି ଆଗକୁ ମଧ୍ୟ କିଛି ଯୋଜନାର ନାମ ବଦଳିବାର ସମ୍ଭାବନା ରହିଛି । ୨୦୨୦ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ପୁଣି ଥରେ ସଂଶୋଧନ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ସୂଚନା ଦେଇଥିଲେ । ସେହିପରି ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା ‘ନୂଆ-ଓ’ କାର୍ଯ୍ୟକ୍ରମକୁ ମୋହନ ସରକାର ବନ୍ଦ କରିଦେଇଛନ୍ତି । ପିଜି-ୟୁଜି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ‘ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ’ ଆରମ୍ଭ କରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଥିଲେ । ତେବେ ଏହା ମଧ୍ୟରେ କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ଜରୁରୀ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଯେଉଁ ରେଭେନ୍ସା ସାହେବଙ୍କ ସମୟରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା ତାଙ୍କ ନାମରେ ରେଭେନ୍ସା ରହିବା ଓଡ଼ିଆ ଅସ୍ମିତା ପ୍ରତି ପ୍ରଶ୍ନବାଚୀ । ବୁଦ୍ଧିଜୀବୀମାନେ ଏନେଇ ପ୍ରଶ୍ନ ଉଠାଇବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Get real time updates directly on you device, subscribe now.