ସୋସିଆଲ ମିଡ଼ିଆରେ ଆଉ ଚାଲିବ ନାହିଁ ଅଶ୍ଲୀଳ କଣ୍ଟେଣ୍ଟ: କେନ୍ଦ୍ର ସରକାର ଆଣିବେ ଆଇନ୍

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡ଼ିଆର ବ୍ୟବହାର ବଢ଼ିବାରେ ଲାଗିଥିବା ବେଳେ ବିଭିନ୍ନ ପ୍ଲାଟଫର୍ମରେ ଅନେକ ଅଶ୍ଲୀଳ କଣ୍ଟେଣ୍ଟ ଶେୟାର କରାଯାଉଥିବା ଦେଖିବାକୁ ମିଳୁଛି । ଏହି ଅଶ୍ଲୀଳ କଣ୍ଟେଣ୍ଟର ପ୍ରଭାବ ଆମ ସମାଜ ଉପରେ ପଡ଼ିବା ସହ ଏହା ଅନେକ ବିବାଦକୁ ଜନ୍ମ ଦେଉଛି । ତେବେ ଖୁବଶୀଘ୍ର ସୋସିଆଲ ମିଡ଼ିଆରୁ ଅଶ୍ଲୀଳ କଣ୍ଟେଣ୍ଟ ହଟିବାକୁ ଯାଉଛି । ଏଣିକି ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସଆପ୍, ୟୁଟ୍ୟୁବ ପରି ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଆଉ ଅଶ୍ଲୀଳ କଣ୍ଟେଣ୍ଟ ଚାଲିବ ନାହିଁ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସୋସିଆଲ ମିଡ଼ିଆରେ ଶେୟାର ହେଉଥିବା ଅଶ୍ଲୀଳ କଣ୍ଟେଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଅଶ୍ଲୀଳ କଣ୍ଟେଣ୍ଟ ଦ୍ରୁତ ଭାବେ ବଢ଼ିବାରେ ଲାଗିଛି ଓ ଏହା ସହ ଜଡ଼ିତ ନିୟମକୁ କଡ଼ାକଡ଼ା କରିବାର ଆବଶ୍ୟକତା ରହିଛି । ସଂସଦରେ ଏ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପରେ ସରକାର ଆଇନ ଆଣିବେ । ସୋସିଆଲ ମିଡ଼ିଆ ଯେଉଁଠାରୁ ଆସିଛି ସେମାନଙ୍କର ସଂସ୍କୃତି ଓ ଆମର ସଂସ୍କୃତି ମଧ୍ୟରେ ଆକାଶ-ପାତାଳ ଫରକ ରହିଛି । ବିରୋଧୀ ଦଳ ଏହା ଉପରେ ଚର୍ଚ୍ଚା କରିବେ ବୋଲି ମୋର ଆଶା ରହିଛି । ସଂସଦର ସ୍ଥାୟୀ କମିଟି ଏହି ପ୍ରସଙ୍ଗକୁ ଉଠାନ୍ତୁ ଓ ଏହା ଉପରେ କଠୋର ଆଇନ ଆଣନ୍ତୁ । ବୈଷ୍ଣବଙ୍କ ଏହି ଦାବିକୁ ରାମାନନ୍ଦ ସାଗରଙ୍କ ‘ରାମାୟଣ’ର ରାମ ଚରିତ୍ରରେ ଅଭିନୟ କରି ବେଶ୍ ପରିଚିତି ହାସଲ କରିଥିବା ବିଜେପି ସାଂସଦ ଅରୁଣ ଗୋଭିଲ ସମର୍ଥନ କରିଥିଲେ ।