fbpx
BJD SKY
BJD SKY

ରାଜ୍ୟସଭା ନିର୍ବାଚନ: ବିଜେପିର ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିଲେ କେନ୍ଦ୍ରମନ୍ତ୍ରୀ

BJD

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସ ୧୦ ତାରିଖରେ ଦେଶର ୧୫ଟି ରାଜ୍ୟରେ ୫୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ ଓ ଅଗଷ୍ଟ ମାସରେ ଯଥାକ୍ରମେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ତା’ ପୂର୍ବରୁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ବେଶ୍ ଗୁରୁତ୍ୱ ବହନ କରୁଛି । ବିଶେଷ କରି କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ ଏହି ରାଜ୍ୟସଭା ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ରାଜ୍ୟସଭା ନିର୍ବାଚନର ଫଳାଫଳ ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନର ଅଙ୍କକୁ ବିଗାଡ଼ି ଦେବାର କ୍ଷମତା ରଖୁଛି ।

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ୨୦ରୁ ଅଧିକ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବା ବେଳେ ଏହା ମଧ୍ୟରେ ପ୍ରାର୍ଥୀ ଚୟନରୁ ବାଦ୍ ପଡ଼ିଛନ୍ତି ଅନେକ ବରିଷ୍ଠ ନେତା । ଏପରିକି କେନ୍ଦ୍ରମନ୍ତ୍ରୀଙ୍କ ନାଁ ମଧ୍ୟ ଏହି ଲିଷ୍ଟରେ ନାହିଁ । ଜଣାପଡ଼ିଛି ଯେ, କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭୀଙ୍କ ନାମ ରାଜ୍ୟସଭା ନିର୍ବାଚନ ପାଇଁ ଘୋଷଣା କରାଯାଇନାହିଁ । ତେବେ ଦଳ ନକଭୀଙ୍କୁ ଉଚ୍ଚତମ ସଦନକୁ ପଠାଇବାକୁ ଇଚ୍ଛୁକ ନଥିବା ଚର୍ଚ୍ଚା ହେଉଛି । ଦଳର ନେତାମାନେ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିବା ବେଳେ ଜୁନ୍ ମାସ ୨୩ରେ ହେବାକୁ ଥିବା ଉତ୍ତରପ୍ରଦେଶର ରାମପୁର ଲୋକସଭା ଉପନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ କରିପାରେ ।

ସୂଚନାଯୋଗ୍ୟ ଯେ, ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୫୦ ହୋଇଥିବା ବେଳେ ବେଳେ ଏହାର ସଦସ୍ୟମାନଙ୍କର କାର୍ଯ୍ୟକାଳ ୬ ବର୍ଷ ହୋଇଥାଏ । ପ୍ରତି ଦୁଇବର୍ଷରେ ରାଜ୍ୟସଭାର ଏକତୃତୀୟାଂଶ ସଦସ୍ୟ ଖାଲି ହୋଇଥାନ୍ତି । ଆସନ୍ତା ମାସରେ ଖାଲିଥିବା କିଛି ସିଟ୍ ପାଇଁ ୧୫ଟି ରାଜ୍ୟରେ ନିର୍ବାଚନ ହେବ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପାଖରେ ୧.୨ ପ୍ରତିଶତ ଭୋଟ କମ୍ ରହିଛି । ତେଣୁ ରାଜ୍ୟସଭା ନିର୍ବାଚନରେ ଯେତେ ଅଧିକ ସଂଖ୍ୟକ ସିଟରେ ବିଜେପି ଜିତି ପାରିବ, ତାହା ଦଳ ପାଇଁ ସେତିକି ଲାଭଦାୟକ ସାବ୍ୟସ୍ତ ହେବ ।

Get real time updates directly on you device, subscribe now.