fbpx

ଜୀବନ ହାରିଲେ ଉନ୍ନାଓ ପୀଡ଼ିତା

ନୂଆଦିଲ୍ଲୀ : ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଉନ୍ନାଓ ଗଣଦୁଷ୍କର୍ମ ମାମଲାର ପୀଡ଼ିତା । ଶୁକ୍ରବାର ରାତି ୧୧ଟା ୪୦ ମିନିଟ୍ରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ସୂଚନା ଦିଆଯାଇଛି । ଗୁରୁବାର ଏହି ଗଣଦୁଷ୍କର୍ମ ମାମଲାର ଶୁଣାଣି ପାଇଁ ସେ କୋର୍ଟକୁ ଯାଉଥିବା ବେଳେ ୫ ଜଣ ମିଶି ତାଙ୍କୁ ପେଟ୍ରୋଲ୍ ଢ଼ାଳି ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ । ୯୦ ପ୍ରତିଶତ ଜଳିଯିବା ସତ୍ତେ୍ୱ ପୀଡ଼ିତା ପ୍ରାୟ ଏକ କିଲୋମିଟର ଚାଲି ଏକ ଜନଗହଳି ସ୍ଥାନରେ ପହଞ୍ଚି ସହାୟତା ମାଗିଥିଲେ । ତାଙ୍କୁ ଅଭିଯୁକ୍ତଙ୍କ କବଳରୁ ଉଦ୍ଧାର କରାଯିବା ବେଳକୁ ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ି ଯାଇଥିଲା । ତାଙ୍କୁ ତୁରନ୍ତ ଲକ୍ଷେ୍ନøସ୍ଥିତ କିଙ୍ଗ ଜର୍ଜ ମେଡ଼ିକାଲ୍ ୟୁନିଭର୍ସିଟିର ଟ୍ରୁମା ସେଣ୍ଟରକୁ ନିଆଯାଇଥିଲା । ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ଦିଲ୍ଲୀ ନିଆଯାଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପରଲୋକ ପରେ ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ସାଲଭ କହିଛନ୍ତି ଯେ, ପୀଡ଼ିତାଙ୍କୁ ବଞ୍ଚାଇବାକୁ ସମସ୍ତ ପ୍ରୟାସ କରାଯାଇଥିଲା । କିନ୍ତୁ ଏହା ସମ୍ଭବ ହେଲା ନାହିଁ ବୋଲି ସେ କହିଛନ୍ତି । ମୃତ୍ୟୁ ପୂର୍ବରୁ ପୀଡ଼ିତା ତାଙ୍କ ଭାଇଙ୍କୁ କହିଥିଲେ ଯେ, ସେ ବଞ୍ଚିବାକୁ ଚାହୁଁଛନ୍ତି । ଏହାସହ ଘଟଣାର ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିବା ଆବଶ୍ୟକ ବୋଲି ସେ କହିଥିଲେ । କିନ୍ତୁ ତାଙ୍କ ବଞ୍ଚିବା ଆଶା, ଆଶାରେ ହିଁ ରହିଗଲା ।

Get real time updates directly on you device, subscribe now.