ପାକିସ୍ତାନ ପହଞ୍ଚାଇଲା ଫେସବୁକ ପ୍ରେମ: ସୀମାପାର ଜେଲରେ ୟୁପି ଯୁବକ
ପ୍ରେମ ପାଇଁ ଅଲିଗଡ଼ରୁ ପାକିସ୍ତାନ ଗଲେ ଯୁବକ। ପ୍ରେମିକା ପାଖରୁ ଟେକିନେଲା ପୋଲିସ। ଆଗକୁ ହେବ କ'ଣ?
ନୂଆଦିଲ୍ଲୀ: ପ୍ରେମ ପାଇଁ କିଏ ପରିବାର ଛାଡ଼ନ୍ତି ତ କିଏ ସହର ଛାଡ଼ନ୍ତି ତ ଆଉ କିଏ ଲୁଚିଛପି ସୀମା ଡେଇଁ ପହଞ୍ଚି ଯାଆନ୍ତି ପାକିସ୍ତାନ। ଉତ୍ତରପ୍ରଦେଶର ଜଣେ ଫେସବୁକ ପ୍ରେମ ବାଇଆ ଯୁବକ ଏପରି ଭୁଲ କରି ଆଜି ପାକିସ୍ତାନ ଜେଲରେ।
ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ପାକିସ୍ତାନର ପଞ୍ଜାବ ପ୍ରଦେଶରୁ। ଜଣେ ପାକିସ୍ତାନୀ ମହିଳାଙ୍କୁ ଭଲ ପାଉଥିବା ଭାରତୀୟନାଗରିକଙ୍କୁ ପଞ୍ଜାବ ପୁଲିସ ବାହାଦୁନ ଜିଲ୍ଲାରୁ ଗିରଫ କରିଛି।
ଗିରଫ ବ୍ୟକ୍ତି ଜଣକ ଉତ୍ତରପ୍ରଦେଶର ଆଲିଗଡ଼ର ବାସିନ୍ଦା ବାଦଲ ବାବୁ ବୋଲି ପୁଲିସ କହିଛି। ସେଠାରେ ତାଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ସବ୍ ଇନ୍ସପେକ୍ଟର ଗୁଲାମ ରଜାଙ୍କ ଅଭିଯୋଗ ଆଧାରରେ ଫରେନର୍ସ ଆକ୍ଟ ୧୯୪୬ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା।
କ’ଣ କହିଲା ପାକ୍ ପୋଲିସ ? ପୁଲିସ ରିପୋର୍ଟରେ କୁହାଯାଇଛି ଯେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଏକ କାରଖାନା ନିକଟରୁ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିଲା।
ପଚରାଉଚରା ପରେ ସେ ନିଜକୁ କିରପାଲ ସିଂଙ୍କ ପୁଅ ବାଦଲ ବାବୁ ବୋଲି ପରିଚୟ ଦେଇ ଭାରତର ଆଲିଗଡ଼ର ବାସିନ୍ଦା ବୋଲି ସ୍ୱୀକାର କରିଥିଲେ। ସେ ବେଆଇନ ଭାବେ ପାକିସ୍ତାନରେ ରହୁଥିବା ସ୍ୱୀକାର କରିବା ପରେ ତାଙ୍କୁ ଗିରଫ କରାଯାଇ ବିଦେଶୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ପୋଲିସ ମୁଖପାତ୍ର ଅଜମଲ ୱାହିଦ କହିଛନ୍ତି ଯେ ସନ୍ଦିଗ୍ଧକୁ ଗିରଫ କରିବାର ଗୋଟିଏ ଦିନ ପରେ କୋର୍ଟରେ ହାଜର କରାଯାଇଥିଲା ଏବଂ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ୨୦୨୫ ଜାନୁଆରି ୧୦ ତାରିଖରେ ପୁଣି ଥରେ କୋର୍ଟରେ ହାଜର ହେବାକୁ ସନ୍ଦିଗ୍ଧଙ୍କୁ ନିର୍ଦ୍ଦେଶ ଦିଆଯାଇଛି।