ନୂଆଦିଲ୍ଲୀ: ବର୍ତ୍ତମାନର ଇଣ୍ଟରନେଟ ଯୁଗରେ ସୋସିଆଲ ମିଡ଼ିଆ ନିଶା ସମସ୍ତଙ୍କୁ ପାଗଳ କରିଦେଇଛି । ଛୋଟ ପିଲାଙ୍କଠାରୁ ଆରମ୍ଭ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫୋନ ମାୟାରେ ବାୟା ହେଉଛନ୍ତି । ତେବେ କଲିଂ ହେଉ କି ଡାଟାର ଚାର୍ଜ ଯେତେ ବଢ଼ିଲେ ବି ୟୁଜର୍ସଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ୁନାହିଁ । ପ୍ଲାନର ଦାମ୍ ଅଧିକ ହେଲେ ବି ଆଜିକାଲିର ଯୁବପୀଢ଼ି ଖର୍ଚ୍ଚ କରିବାକୁ ଆଦୌ କୁଣ୍ଠାବୋଧ କରୁନାହାନ୍ତି ।
ତେବେ ଏହା ମଧ୍ୟରେ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଭୋଡ଼ାଫୋନ ଆଇଡିଆ ପକ୍ଷରୁ ଏକ ଫ୍ରି ଅଫର ପ୍ରଦାନ କରାଯାଉଛି । ଗ୍ରାହକମାନେ ବିନା ରିଜାର୍ଚରେ ମାଗଣାରେ କଲିଂ ଓ ଡାଟା ସୁବିଧା ପାଇପାରିବେ । ତେବେ ଏହି ସୁବିଧା ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ନୁହେଁ । କିଛି ବଛା ବଛା ୟୁଜର୍ସ ଏହାର ଫାଇଦା ଉଠାଇ ପାରିବେ । ଯେଉଁମାନେ ନିଜ ସିମ କାର୍ଡକୁ ରିଚାର୍ଜ କରିନଥିବେ, ଏଥିସହିତ ଅନ୍ୟ ଅପରେଟକୁ ପୋର୍ଟ କରିନଥିବେ, ସେମାନେ ଏହି ବେନିଫିଟ୍ ପାଇପାରିବେ ।
ତେବେ ବାସ୍ତବ କଥା ହେଉଛି, କମ୍ପାନୀ ନିଜ ୟୁଜର୍ସଙ୍କ ସିମକୁ ଅନ୍ୟ ନେଟୱାର୍କକୁ ପୋର୍ଟ କରିବାରୁ ରୋକିବାକୁ ଚାହୁଁଛି । ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଏହି ଅଫର କେଉଁ ୟୁଜର୍ସଙ୍କୁ ଓ କିପରି ମିଳିବ ସେ ବାବଦରେ କମ୍ପାନୀ ପକ୍ଷରୁ ଅଫିସିଆଲ ଭାବେ କିଛି କୁହାଯାଇନାହିଁ । ଟେଲିକମ ଇଣ୍ଡଷ୍ଟ୍ରିରେ ରିଲାଏନ୍ସ ଜିଓ, ଏୟାରଟେଲ ଓ ବିଏସଏନଲ ସହିତ ବର୍ତ୍ତମାନ ଭୋଡ଼ାକୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ୁଛି । ଟେଲିକମ ସେକ୍ଟରରେ ତିଷ୍ଠି ରହିବା ପାଇଁ ଭୋଡ଼ା ପ୍ରୟାସ କରୁଛି । ତେଣୁ କମ୍ପାନୀ ନିଜର ଗ୍ରାହକଙ୍କୁ ପାଖରେ ରଖିବା ପାଇଁ ଏହି ଅଫର ଦେଉଛି । ଏହା ଗ୍ରାହକଙ୍କୁ ଅନ୍ୟ କମ୍ପାନୀର ନେଟୱାର୍କକୁ ପୋର୍ଟ ହେବାରୁ ବଞ୍ଚାଇବ । ଯଦି ଆପଣ ଭୋଡ଼ା ୟୁଜର୍ସ ତେବେ ଆପଣ ଏହାର ପାଇଦା ଉଠାଇ ପାରିବେ କି ନା ଶୀଘ୍ର ଚେକ୍ କରି ନିଅନ୍ତୁ ।