fbpx

Video: ‘ମମି’ ମୋର ଚକୋଲେଟ୍ ଚୋରି କରି ନେଉଛନ୍ତି, ତାଙ୍କୁ ତୁରନ୍ତ ଜେଲରେ ପୁରାଇ ଦିଅ’

ମଧ୍ୟପ୍ରଦେଶ: ମୋର ମା’ ମୋତେ ମିଳିଥିବା ଚକୋଲେଟ୍ ଖାଇବାକୁ ଦେଉ ନାହାନ୍ତି। ସବୁତକ ଲୁଚାଇ ରଖିଦେଉଛନ୍ତି। ଆପଣ ତୁରନ୍ତ ତାଙ୍କୁ ଜେଲରେ ପୁରାଇ ଦିଅନ୍ତୁ। ପୋଲିସ ପାଖରେ ଏକ ୩ବର୍ଷୀୟ ବାଳକ ଏଭଳି କିଛି ଅଭିଯୋଗ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ। ୩ବର୍ଷୀୟ ଏହି ପିଲାଟି ଅଭିଯୋଗ ସମୟରେ ଦୃଶ୍ୟ ଏବେ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ପିଲାଟି ଯାଇ ପୋଲିସ ନିକଟରେ ତାର ଅଭିଯୋଗକୁ କହୁଛି। ଯାହାକୁ ଶୁଣି ପୋଲିସ ମଧ୍ୟ ନିଜର ହସ ସମ୍ଭାଳି ପାରି ନଥିଲେ।

ବୁରହାନପୁର ଜିଲ୍ଲାରେ ଏହି ବାଳକ ନିଜର ପିତାଙ୍କ ସହିତ ଆସି ଥାନାରେ ପହଞ୍ଚିଥିଲା। ଏହାପରେ ପୋଲିସଙ୍କୁ କହିଥିଲା ସେମାନେ ତାର ମମିଙ୍କୁ ଥାନାରେ ପୁରାଇ ଦିଅନ୍ତୁ। ଏହାଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେତେବେଳେ ପୋଲିସ ଏହାର କାରଣ ପଚାରିଥିଲେ, ସେ କହିଥିଲା ଯେ ମୋର ମମି ମୋ ଚକୋଲେଟ୍ ଚୋରାଇ ନେଉଛନ୍ତି। ଏପରିକି ସେ ମୋର କାଣ୍ଡି ମଧ୍ୟ ଚୋରିକରି ନିଅନ୍ତି ଏବଂ ମୋ ଗାଲରେ ମାଡ଼ ବି ମାରନ୍ତି।

ଖବର ମୁତାବକ ତାଙ୍କ ବାପା କହିଛନ୍ତି କି, ଗତ ରବିବାର ତାଙ୍କ ପୁଅ ଗାଧୋଇବା ପରେ ତା ମା ତାକୁ କଳା ଟିକା ଲଗାଉଥିଲେ । ସେ ହଇରାଣ କରିବାରୁ ତା ମା ତାକୁ ଗେହ୍ଲାରେ ଗୋଟେ ଚାପୁଡ଼ା ମାରିଦେଲେ । ଏହାପରେ ସେ କାନ୍ଦିବାରୁ ବହୁତ କଷ୍ଟରେ ବାପା ତାକୁ ବୁଝାଇଲେ । ସେ କିନ୍ତୁ କହିଲା ଚାଲ ବାପା ଆମେ ପୋଲିରେ ଖବର ଦେବା । ମାକୁ ଜେଲକୁ ପଠାଇବା । ଏହା ଶୁଣିବା ପରେ ସେ ଖୁବ ହସିଥିଲେ । ବାପା ତାକୁ ଜେତେ ବୁଝାଇଲେ ବି ସେ ବୁଝି ନଥିଲା । ଶେଷରେ ପୁଅକୁ ଥାନାକୁ ନେଇ ଆସିଥିଲେ ବାପା ।

ଥାନାକୁ ଆସିବା ପରେ ଥାନା ଗେଟ ପାଖରେ ଥାନା ପ୍ରଭାରି ପ୍ରିୟଙ୍କା ନାୟକଙ୍କ ସହ ତାଙ୍କର ଭେଟ ହୋଇଥିଲା । ତାଙ୍କୁ ଦେଖିବା ମାତ୍ରେ ଶିଶୁଟି ତାଙ୍କ ହାତକୁ ଧରିପକାଇ କହିଥିଲା ମା’କୁ ଜେଲରେ ପୁରାଇ ଦିଅ । ଏହା ଶୁଣି ସେ ଖୁବ ହସିଲେ । ଅଭିଯୋଗ କଣ ପଚାରିବାରୁ ଶିଶୁ ଜଣକ କହିଲେ କି, ‘ମା ମୋତେ ଚାପୁଡ଼ା ମାରିଲା । ସବୁବେଳେ ସେ ମୋତେ ମାରୁଛି । ମୋ ଚକୋଲେଟ ବି ଚୋରି କରିନେଉଛି । ମୋ ପଇସା ବି ଚୋରି କରି ନେଉଛି । ତୁମେ ତାକୁ ଜେଲରେ ପୂରାଇଦିଅ । ମୋତେ ସେ ଚକଲେଟ ବି ଖାଇବାକୁ ଦେଉନାହିଁ…।’ ଏହା ଶୁଣିବା ପରେ ଥାନାରେ ଉପସ୍ଥିତି ସବୁ କର୍ମଚାରୀ ଖୁବ ହସିଥିଲେ । ଏଫଆଇଆର ପରେ ବହୁତ ବୁଝାସୁଝା କରି ଶିଶୁଟିକୁ ଘରକୁ ପଠାଇଥିଲେ ଏସଆଇ ପ୍ରିୟଙ୍କା ।

 

Get real time updates directly on you device, subscribe now.