fbpx

(Video) ଓଡ଼ିଶାରେ ଭିଜିଲାନ୍ସ ଜବତ କରୁଛି କୋଟି କୋଟି ଟଙ୍କା-ସମ୍ପତ୍ତି: କିନ୍ତୁ ସେସବୁ ଯାଉଛି କୁଆଡ଼େ?

ରାଜ୍ୟରେ ଗୋଟିଏ ପରେ ଗୋଟିଏ ରେଡ ହେବାରେ ଲାଗିଛି । ଯେଉଁଥିରୁ କୋଟି କୋଟି ଟଙ୍କାକୁ ଜବତ କରୁଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଏବଂ ଲାଞ୍ଚ କାରବାର କାରଣରୁ ଏହି ସବୁ ରେଡ କରାଯାଉଛି । ଗତ ୬ ମାସ ମଧ୍ୟରେ ଏହି ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ୪୫ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ନଗଦ ୬ କୋଟିରୁ ଅଧିକ ଟଙ୍କା ଏବଂ ୧୦.୨ କେଜିରୁ ଅଧିକ ସୁନା ଜବତ କରିଛି ଭିଜିଲାନ୍ସ । ତେବେ ଏତେ ସାରା ଟଙ୍କା ଏବଂ ସୁନାକୁ ଦେଖିକି ଆପଣଙ୍କ ମନରେ ଅନେକ ସମୟରେ ପ୍ରଶ୍ନ ଆସିଥିବା ଏହି ସବୁ ଟଙ୍କାକୁ ଭିଜିଲାନ୍ସ ବିଭାଗ କଣ କରେ ।

ଲାଞ୍ଚ ଆକାରରେ ଜବତ ହୋଇଥିବା ଟଙ୍କା:

ନିୟମ ମୁତାବକ ଯେଉଁ ଟଙ୍କା ଲାଞ୍ଚ ଆକାରରେ ଅଭିଯୁକ୍ତ ଠାରୁ ଜବତ ହୁଏ ସେହି ଟଙ୍କା ଅଭିଯୋଗକାରୀର ହୋଇଥାଏ । ଗତ ୬ ମାସ ଭିତରେ ୨୪ ଲକ୍ଷ ଲାଞ୍ଚ ଟଙ୍କା ଜବତ ହୋଇଛି । ଏହି ଟଙ୍କାକୁ ଅଭିଯୋଗକାରୀଠାରୁ ନିଆଯାଇ ସେହି ସବୁ ନୋଟ ଗୁଡ଼ିକର କ୍ରମିକ ନମ୍ବର ଗୁଡ଼ିକୁ ଭିଜିଲାନ୍ସ ଅଧିକାରୀ ଅନ୍ୟ ଦୁଇ ସରକାରୀ କର୍ମଚାରୀଙ୍କ ଉପସ୍ଥିତିରେ ଲେଖିଥାନ୍ତି । ଏହାପରେ ସେଥିରେ କେମିକାଲ ମରାଯାଇ ଅଭିଯୋଗକାରୀ ଜଣଙ୍କ ଲାଞ୍ଚ ଆକାରରେ ଅଭିଯୁକ୍ତକୁ ଦେଇଥାଏ । ଯେଉଁ ସମୟରେ ଭିଜିଲାନ୍ସ ଟିମ ରେଡ କରି ଗିରଫ କରିଥାଏ । ତେବେ ଅଭିଯୁକ୍ତକୁ କୋର୍ଟ ଚାଲାଣ ପରେ ଜବତ ହୋଇଥିବା ଟଙ୍କାକୁ ଭିଜିଲାନ୍ସ ତାର ମାଲଖାନାରେ ଷ୍ଟୋର ରୁମରେ ରଖିଥାଏ । ତେବେ ଜବତ ହୋଇଥିବା ଟଙ୍କା ଅଭିଯୋଗକାରୀର ହୋଇଥିବାରୁ ଅଭିଯୋଗକାରୀଙ୍କୁ ଅନଲାଇନ ମାଧ୍ୟମରେ ଭିଜିଲାନ୍ସ ଏସପିଙ୍କ ଆକାଉଣ୍ଟରୁ ଟଙ୍କା ପଠାଇ ଦିଆଯାଏ ।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳରେ ଜବତ ହୋଇଥିବା ଟଙ୍କା:

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ କର୍ମଚାରୀ ଏବଂ ଅଧିକାରୀଙ୍କଠାରୁ ଜବତ କୋଟି କୋଟି ଟଙ୍କା ଜବତ କରାଯାଇଥାଏ । ଖାଲି ଟଙ୍କା ନୁହେଁ ଘର, ଫ୍ଲାଟ, ଜମି, ସୁନା, ଗାଡ଼ି ମଧ୍ୟ ଜବତ କରିଥାଏ ଭିଜିଲାନ୍ସ ବିଭାଗ । ତେବେ ଏହି ରେଡରେ ଯେଉଁ ସବୁ ଟଙ୍କା ଜବତ ହୋଇଥାଏ ତାକୁ ସରକାରଙ୍କ ଟ୍ରେଜେରିରେ ରଖାଯାଏ । ପରେ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ହେବା ପରେ ସମସ୍ତ ଟଙ୍କା ତାଙ୍କୁ ଫେରସ୍ତ ଦିଆଯାଏ । ତେବେ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ହେବା ପରେ ଭିଜିଲାନ୍ସ ଏହି କେସକୁ ଉପର କୋର୍ଟକୁ ନେଇଥାଏ । ଯେଉଁଥିରେ ଟଙ୍କା ମିଳିବାର ଆଶା କମିଯାଏ ।

ସେହିପରି ସୁନା, ଗାଡ଼ି, ଜମି ଏବଂ ଫ୍ଲାଟ ଇତ୍ୟାଦି ପାଇଁ ମଧ୍ୟ ନିୟମ ରହିଛି । ରେଡରେ ଜବତ କରାଯାଇଥିବା ସମସ୍ତ ସୁନାକୁ ଓଜନ କରି ଏହାର ମୂଲ୍ୟାୟନ କରାଯାଏ । ଏହାପରେ ସମସ୍ତ ସୁନାର ତାଲିକା ପ୍ରସ୍ତୁତ କରାଯାଇ ଏକ ଜିମାନାମା ଦସ୍ତଖତ କରାଯିବା ସହ ସମସ୍ତ ସୁନାକୁ ଫେରସ୍ତ ଦିଆଯାଏ । ତେବେ କେସ ସରିବା ପର୍ଯ୍ୟନ୍ତ ଏହି ସବୁ ସୁନା କିମ୍ବା ଘର ଜମି ଇତ୍ୟାଦିକୁ ବିକ୍ରି କରାଯାଇପାରିବ ନାହିଁ ।

Get real time updates directly on you device, subscribe now.