fbpx
BSKY
BJD SHG SKY
BJD YOUTH SKY

ବିରାଟ ଦି’ ଚେଜିଙ୍ଗ ମାଷ୍ଟର: ହାରିବା ମ୍ୟାଚରେ ବି ଜିତିଲା ଭାରତ, ପାକିସ୍ତାନୀ ସୋସିଆଲ ମିଡ଼ିଆରେ କୋହଲିଙ୍କୁ ସାବାସୀ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ଭାରତର ବିଜୟ ଧାରା ଅବ୍ୟାହତ ରହିଛି । ବର୍ତ୍ତମାନ ସୁଦ୍ଧା ଭାରତ ୫ଟି ମ୍ୟାଚରେ ଜିତିବା ସହିତ ପଏଣ୍ଟ ଟେବୁଲରେ ଟପରେ ରହିଛି । କ୍ରମାଗତ ଦୁଇଟି ମ୍ୟାଚରେ ବିରାଟ କୋହଲି ଯେଉଁ ଉଚ୍ଚକୋଟୀର ପ୍ରଦର୍ଶନ କରି ଭାରତକୁ ବିଜୟୀ କରାଇଲେ ତାହାକୁ ନେଇ ଏବେ ପାକିସ୍ତାନରେ ବେଶ୍ ଚର୍ଚ୍ଚା ହେଉଛି । ଗତ ୧୯ ତାରିଖରେ କୋହଲି ଶତକ ଅର୍ଜନ କରିବା ସହିତ ୨୨ ତାରିଖରେ ୯୫ ରନ୍ ସଂଗ୍ରହ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ବାଂଲାଦେଶ ବିପକ୍ଷରେ କୋହଲି ଅପରାଜିତ ଶତକ ଅର୍ଜନ କରିବା ପରେ ତାଙ୍କୁ ଭୁରିଭୁରି ପ୍ରଶଂସା କରିଥିଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର ତଥା ବିଶ୍ୱର ଅନ୍ୟତମ କିମ୍ବଦନ୍ତୀ ପେସର ୱାସିମ ଆକ୍ରମ । ଏପରିକି ୩୪ ବର୍ଷୀୟ କୋହଲି ଅନ୍ୟ ଏକ ଗ୍ରହରୁ ଆସିଛନ୍ତି ବୋଲି ଆକ୍ରମ କହିଥିଲେ । ସେହିପରି ସର୍ବଦା ବିଶ୍ୱକପରେ ଶ୍ରେଷ୍ଠ ପ୍ରଦର୍ଶନ କରି ଆସିଥିବା ନ୍ୟୁଜିଲାଣ୍ଡ ବିପକ୍ଷରେ କୋହଲିଙ୍କ ୯୫ ରନର ଇନିଂସ ପରେ ଏବେ ଭାବୁକ ହୋଇ ପଡ଼ିଛି ପାକିସ୍ତାନୀ ସୋସିଆଲ ମିଡ଼ିଆ । ଅନ୍ୟ ବ୍ୟାଟ୍ସମ୍ୟାନମାନେ ଫେଲ୍ ମାରିଥିବା ବେଳେ କୋହଲି ଏକା ଲଢ଼େଇ କରି ମ୍ୟାଚକୁ ନିଜ ସପକ୍ଷରୁ ନେଇ ଆସିଥିଲେ ବୋଲି କିଛି ବ୍ୟକ୍ତି କହିଥିଲେ ।

ଅନେକ କ୍ରୀଡ଼ା ସମୀକ୍ଷକ ଭିଡିଓ ଜାରି କରି ବାବର ଆଜମ ଓ ପାକିସ୍ତାନକୁ ସମାଲୋଚନା କରିବା ସହିତ ଭାରତ ଓ ବିରାଟ କୋହଲିଙ୍କୁ ଖୋଲାଖୋଲି ଭାବେ ପ୍ରଶଂସା କରିଥିଲେ । ରନ ଚେଜିଂ କରିବାରେ କିଙ୍ଗ କୋହଲି କେତେ ମାହିର ତାହା ସେ ଥରେ ନୁହେଁ, ବାରମ୍ବାର ପ୍ରମାଣିତ କରିଛନ୍ତି । ଯେ ପର୍ଯ୍ୟନ୍ତ ଭାରତ ପାଖରେ କୋହଲି ଓ ରୋହିତ ଶର୍ମା ରହିଥିବେ ସେ ପର୍ଯ୍ୟନ୍ତ ଘରୋଇ ମାଟିରେ ଟିମ୍ ଇଣ୍ଡିଆକୁ ହରାଇବା କଷ୍ଟକର ବୋଲି ଅନେକ ମତ ଦେଇଥିଲେ ।

Get real time updates directly on you device, subscribe now.