fbpx

ଆସନ୍ତାକାଲିଠାରୁ ଆରମ୍ଭ ହେବ ଭୋଟର ସଂଶୋଧନ ପ୍ରକ୍ରିୟା, ଜାଣନ୍ତୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ କେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ଅବସରରେ ରାଜ୍ୟର ମୋଟ ୩୭,୬୦୬ଟି ଭୋଟ ଗଣତି କେନ୍ଦ୍ର, ୫୮ଟି ଉପଜିଲ୍ଲାପାଳ ଓ ୩୦ଟି ଜିଲ୍ଲାପାଳ କାର୍ଯ୍ୟାଳୟରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ଯେଉଁମାନେ ନାମ ଯୋଡ଼ିବାକୁ ବା ସଂଶୋଧନ କରିବାକୁ ଚାହୁଁଥିବେ, ସେମାନେ ନଭେମ୍ବର ୧ରୁ ୩୦ ତାରିଖ ମଧ୍ୟରେ ଆବେଦନ କରିପାରିବେ । ଏଥିନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।

ତେବେ ସମସ୍ତ ନାଗରିକମାନେ ଏହି ସଂଶୋଧନ ପାଇଁ ଦାବି ବା ଆପତ୍ତି ସମ୍ପୃକ୍ତ ଭୋଟ ପଞ୍ଜୀକରଣ ଅଧିକାରୀଙ୍କୁ ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ଜଣାଇ ପାରିବେ । ଏହାଛଡ଼ା ଭୋଟର ହେଲ୍ପଲାଇନ ଆପ୍ ବା nvsp.in ଆପକୁ ଯାଇ ଘରେ ବସି ଅନଲାଇନରେ ଆବେଦନ କରିପାରିବେ । ନୂତନ ଭାବେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଫର୍ମ ନଂ-୬, ତାଲିକାରୁ ବାଦ୍ ଦେବା ପାଇଁ ଫର୍ମ ନଂ-୭ ଓ ଭୋଟର ତାଲିକାରେ ନାମ, ଠିକଣା, ବୟସ ତ୍ରୁଟି ଥିଲେ ଫର୍ମ ନଂ-୮, ଗୋଟିଏ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଅନ୍ୟ ଏକ ସ୍ଥାନକୁ ପରିବର୍ତ୍ତନ କରିବାକୁ ଫର୍ମ ନଂ-୮(କ)ରେ ଆବେଦନ କରିବାକୁ ହେବ । ଏଥିସହ ମତଦାତା ସମସ୍ତ ଡକ୍ୟୁମେଣ୍ଟ ଅପଲୋଡ୍ କରିବାର ସୁଯୋଗ ଥିବାରୁ ତାଲିକା ନିର୍ଭୁଲ ହେବ ବୋଲି ଆଶା କରାଯାଉଛି । ଯେପରି କେହି ଭୋଟର ବାଦ୍ ନ ପଡ଼ିବେ ସେଥିପାଇଁ ନଭେମ୍ବର ୭ ଓ ୨୧ ତାରିଖରେ ସମସ୍ତ ବୁଥରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ଏହି ଦିନ ବୁଥସ୍ତରୀୟ ଅଧିକାରୀମାନେ ସକାଳ ୧୦ରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଉପସ୍ଥିତ ରହି ନାଗରିକଙ୍କର ଆପତ୍ତି ଓ ଅଭିଯୋଗ ଗ୍ରହଣ କରିବେ । ଡିସେମ୍ବର ୨୦ ତାରିଖ ମଧ୍ୟରେ ସମସ୍ତ ଆପତ୍ତି ଓ ଅଭିଯୋଗ ଫଇସଲା ହେବା ପରେ ୨୦୨୨ ଜାନୁଆରୀ ୫ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି କୁହାଯାଇଛି ।

Get real time updates directly on you device, subscribe now.