fbpx

ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ: ଏହି ଜିଲ୍ଳାଗୁଡିକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡିଶା ଭାସ୍କର): ଗ୍ରୀଷ୍ମ ପ୍ରବାହକୁ ନେଇ ଜାରି ହେଲା ସତର୍କ ସୂଚନା । ରାଜ୍ୟର ୭ ଟି ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ଏକ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ଅନେକ ଜିଲ୍ଲାର ତାପମାତ୍ରା ଏବେ ୩୮ ଡିଗ୍ରୀ ଉପରେ ରହିଛି ।

ପାଣିପାଗ କେନ୍ଦ୍ର ତରଫରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ୭ଟି ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁଗୁଳ, ଝାରସୁଗୁଡା, ସମ୍ବଲପୁର, ସୋନପୁର ସମେତ ବୌଦ୍ଧ ବଲାଙ୍ଗୀର ଏବଂ ନୟାଗଡକୁ ମଧ୍ୟ ଜାରି ହୋଇଛି ୟେଲୋ ୱାର୍ଣ୍ଣଂ । ଏହି ଜିଲ୍ଳା ମାନଙ୍କରେ ପ୍ରବଳ ମାତ୍ରାରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି । ସେହିପରି ଆସନ୍ତାକାଲି ପାଇଁ ମଧ୍ୟ ୫ ଟି ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂର ଅନ୍ତର୍ଭୁକ୍ତ କରାଯାଇଛି । ଅନୁଗୁଳ, ସୋନପୁର, ବୌଦ୍ଧ, ସମ୍ବଲପୁର ଇତ୍ୟାଦି ଜିଲ୍ଳା ପାଇଁ ଏହି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ତାପମାତ୍ରା ଏଭଳି ରହିବ ବୋଲି ସୂଚନା ଦିଆଯାଇଛି । ତେବେ ଦୁଇ ଦିନ ପରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଯୋଗୁଁ ତାପମାତ୍ରା ହ୍ରାସ ପାଇବ ।

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି । ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ସୋମବାର ୧୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ମଙ୍ଗଳବାର ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିଛି । ଗତାକାଲି ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଟିଟ୍‌ଲାଗଡ଼ରେ ମଧ୍ୟ ରାଜ୍ୟର ତାପମାତ୍ରା ବୃଦ୍ଧି ପାଇ ୪୧.୫ ଡିଗ୍ରୀ ସେଲ୍‌ସିୟସରେ ପହଂଚିଛି । ଏହା ପରକୁ ଚାନ୍ଦବାଲିରେ ୪୦.୭, କଟକରେ ୪୦.୧, ଅନୁଗୁଳରେ ୪୦.୭, ବାରିପଦାରେ ୪୧, ତାଳଚେର ୪୦.୫, ବଲାଙ୍ଗିର ୪୧.୨, ଟିଟଲାଗଡ଼ ୪୧.୫, ମାଲକାନଗିରି ୪୦.୨, ନୟାଗଡ଼ ୪୦, ବୌଦ୍ଧରେ ୪୦.୫ ଓ ପାରଳାଖେମୁ୍‌ଣ୍ଡିରେ ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.