ବଦଳିଲା ପାଗ: ସକାଳୁ ଜାରି ରହିଛି ବର୍ଷା, ଏହି ଜିଲ୍ଲାକୁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଦୁଇ ଦିନ ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ।

ଭୁବନେଶ୍ବର: ରାଜ୍ୟରେ ବଦଳିଛି ପାଗର ମିଜାଜ । ତାତିରୁ ତ୍ରାହି ମିଳିବା ସହିତ ବର୍ଷା ମଧ୍ୟ ଜାରି ରହିଛି । ତେବେ ଆହୁରି ମଧ୍ୟ ଦୁଇ ଦିନ ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଆସନ୍ତାକାଲି ମଧ୍ୟ ବର୍ଷା ରହିଥିବା ନେଇ ମଧ୍ୟ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।  ବଙ୍ଗୋପସାଗରରୁ ଆସୁଥିବା ଆର୍ଦ୍ର ବାୟୁ ,ପଶ୍ଚିମା ଦିଗରୁ ଆସୁଥିବା ଶୁଷ୍କ ବାୟୁ ସହିତ ମିଶ୍ରଣ ହେବା ଫଳରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ କୁଆପଥର ବର୍ଷା ହେବ ବୋଲି ପାଣିିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଆସନ୍ତା ୨୪ ଘଣ୍ଟା ପାଇଁ କଟକ, ଢେଙ୍କାନାଳ, ଅନୁଗୁଳ, ଜଗତସିଂହପୁର, ଦେବଗଡ଼ ଓ ସୁନ୍ଦରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏସବୁ ଅଞ୍ଚଳରେ କୁଆପଥର ସହ ବିଜୁଳି ଘଡ଼ଘଡ଼ି ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ ଓ କେଉଁଝରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ଆଜି ସକାଳୁ ବର୍ଷା ଜାରି ରହିଛି ।

ତେବେ ଆସନ୍ତାକାଲି ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଥିବା ବେଳେ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି ।