fbpx

ପଶ୍ଚିମବଙ୍ଗ ହିଂସାକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ

ପଶ୍ଚିମବଙ୍ଗ ୦୪ । ୦୫ (ଓଡ଼ିଶା ଭାସ୍କର) : ପଶ୍ଚିମବଙ୍ଗରେ ନିର୍ଵାଚନ ସାରି ଯାଇଥିଲେ ମଧ୍ୟ ହିଂସାକାଣ୍ଡ ଥମିବାର ନାମ ନେଉନାହିଁ । ଉଭୟ ନିର୍ବାଚନ ଏବଂ ଫଳାଫଳ ସମୟରେ ହିଂସାକାଣ୍ଡ ଅଧିକ ହେବାରେ ଲାଗିଛି । ମେ’ ୨ ତାରିଖରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ପୂରା ରାଜ୍ୟ ଅଶାନ୍ତ ହୋଇପଡିଛି । ରାଜଧାନୀ ଠାରୁ ଆରମ୍ଭ କରି ଆସନସୋଲ ଓ ଦକ୍ଷିଣ ୨୪ ପ୍ରଗଣା ଯାଏ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସ୍ଥିତି ଦିନକୁ ଦିନ ବିଗୁଡ଼ୁ ଥିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ପାଇଁ ତାଗିତ କରିଛନ୍ତି ।

ସେପଟେ ଟିଏମସିର ଗୁଣ୍ଡାମାନଙ୍କ ଆକ୍ରମଣରେ ବିଜେପି ଦଳର ୬ ଜଣ କର୍ମୀ ପ୍ରାଣ ହରାଇଥିବା ବେଳେ ଟିଏମସିର ୪ ଜଣ କର୍ମୀ ହିଂସାକାଣ୍ଡରେ ଜୀବନ ହରେଇଥିବା ଅଭିଯୋଗ କରିଛି ବିଜେପି । ବିଜେପିର ଅଭିଯୋଗ ଅନୁଯାୟୀ, କୋଲକାତାରେ ବିଜେପିର ଜଣେ କର୍ମୀଙ୍କୁ ଟିଏମସିର ଗୁଣ୍ଡାମାନେ ମାଡ଼ ମାରିଥିଲେ ସେ କଥା ଫେସବୁକରେ ବଖାଣି ଥିଲେ। ଉତ୍ତର ୨୪ ପ୍ରଗଣାରେ ମଧ୍ୟ ଜଣେ ବୟସ୍କ ମହିଳାଙ୍କୁ ଟିଏମସିର ଗୁଣ୍ଡାମାନେ ହତ୍ୟା କରିଥିବାର ଭିଡ଼ିଓ ବ୍ୟକ୍ତି ଜଣଙ୍କ ଫେସବୁକରେ ପୋଷ୍ଟ କରିଥିଲେ। ଏହାକୁ କେନ୍ଦ୍ର କରି ଟିଏମସି ଗୁଣ୍ଡାମାନେ ଭିଡିଓ ଜାରି କରିଥିବା ବ୍ୟକ୍ତିଙ୍କୁ କୋଲକାତାରେ ଆକ୍ରମଣ କରିଥିଲେ ବୋଲି ବିଜେପି କହିଛି। ସେହିପରି ବିଜେପିର ଗୁଣ୍ଡାମାନଙ୍କ ଆକ୍ରମଣରେ ଦଳର ୪ ଜଣ କର୍ମୀ ପ୍ରାଣ ହରାଇଥିବା ଟିଏମସି କହିଛି । କଂଗ୍ରେସ ଓ ବାମଦଳ ସହ ମେଣ୍ଟ କରି ନିର୍ବାଚନ ଲଢ଼ୁଥିବା ଆଇଏସ୍‌ଏଫ ମଧ୍ୟ ଜଣେ କର୍ମୀଙ୍କୁ ହରାଇଥିବା ଅଭିଯୋଗ ହୋଇଛି । ରାଜ୍ୟରେ ଘଟୁଥିବା ହିଂସାକାଣ୍ଡ ପାଇଁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧାନକର ରାଜ୍ୟର ଗୃହ ସଚିବ, ଡିଜିପି ଓ କୋଲକାତା ପୁଲିସ୍‌ କମିଶନରଙ୍କୁ ସମନ ଜାରି କରିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ରାଜ୍ୟପାଳ ରାଜ୍ୟରେ ହିଂସାକାଣ୍ଡ ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ କହିଥିଲେ ।

ଅନ୍ୟପଟେ ଉପୁଜିଥିବା ହିଂସାକାଣ୍ଡ ପାଇଁ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଦୁଇ ଦିନିଆ ପଶ୍ଚିମବଙ୍ଗରେ ଗସ୍ତରେ ଯାଉଛନ୍ତି। ସେ ସ୍ଥିତିର ଯାଞ୍ଚ କରିବା ସହ ଦଳର କର୍ମୀ ଓ ପୀଡ଼ିତଙ୍କ ପରିବାର ଲୋକଙ୍କୁ ଭେଟିବେ। ବିଜେପି ମଧ୍ୟ ସମଗ୍ର ଦେଶରେ ଟିଏମସିର ବିରୋଧରେ ବିକ୍ଷୋଭ କରିବ ବୋଲି ମଧ୍ୟ ଘୋଷଣା କରିଛି। ବିକ୍ଷୋଭ ବେଳେ କରୋନା କଟକଣାକୁ ପାଳନ କରାଯିବ ବୋଲି ମଧ୍ୟ ବିଜେପି ପକ୍ଷରୁ କୁହାଯାଇଛି। ୪ ହଜାର ବିଜେପି କର୍ମୀଙ୍କ ଘର ଭଙ୍ଗାରୁଜା କରାଯାଇଥିବା ବେଳେ ୧୦୦ରୁ ଅଧିକ ଦୋକାନ ଲୁଟ୍‌ କରାଯାଇଛି। ଏନେଇ ବିଜେପିର ଜାତୀୟ ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟା କହିଛନ୍ତି ।

Get real time updates directly on you device, subscribe now.