ବିବାହ ପରେ ଅଧିକାଂଶ ମହିଳା ଚାକିରି ଛାଡ଼ିବାର ମୂଳ କାରଣ କ’ଣ ?
କାହଁକି ଚାକିରି ଛାଡୁଛନ୍ତି ମହିଳା। ବିଶେଷ କରି ବିବାହ ପରେ କେଉଁ କାରଣ ପାଇଁ ଚାକିରି ଛାଡିବାକୁ ବାଧ୍ୟ ହେଉଛନ୍ତି ଭାରତୀୟ ମହିଳା।
ନୂଆଦିଲ୍ଲୀ: ପ୍ରତ୍ୟେକ ମହିଳାଙ୍କ ଜୀବନରେ ବିବାହ ଏକ ନୂଆ ଆରମ୍ଭ ଆଣିଦିଏ। ସାଧାରଣ ଝିଅଟିଏ ହେଉ କିମ୍ୱା କର୍ମଜୀବୀ ମହିଳା ସମସ୍ତେ ନିଜର ବିବାହକୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି। ବାହାଘରରେ ବିଭିନ୍ନ ପ୍ରକାରର ଯୋଜନା କରିଥାନ୍ତି।
କିନ୍ତୁ ଅନେକ ମହିଳାଙ୍କ କ୍ଷେତ୍ରରେ ନିଜର ବାହାଘର ବେଶୀ ଦିନ ତିଷ୍ଠି ପାରେନାହିଁ। ଆଗରୁ ବୋଧହୁଏ ଏହି ଘଟଣା ବିଶେଷ ଦେଖିବାକୁ ମିଳୁନଥିଲା। ହେଲେ ଏବେକା ଦିନରେ ପ୍ରାୟ ସମୟରେ ବିଚ୍ଛେଦ ଦେଖିବାକୁ ମିଳୁଛି। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାହାଘର ପୂର୍ବରୁ ଚାକିରି କରୁଥିବା ମହିଳା ବାହାଘର ପରେ ଚାକିରି ଛାଡିଦେଉଛନ୍ତି।
କାହିଁକି ଛାଡୁଛନ୍ତି ଚାକିରି: ଆଜିକା ଦିନରେ ସମସ୍ତେ ନିଜ ଗୋଡରେ ନିଜେ ଛିଡ଼ା ହେବାକୁ ଚେଷ୍ଟା କରୁଛନ୍ତି। ନିଜେ ଆତ୍ମନିର୍ଭରଶୀଳ ହେଉଛନ୍ତି। ହେଲେ ବାହାଘର ପରେ ସେମାନଙ୍କୁ ବିଭିନ୍ନ ଚାପରେ ହେଉ କିମ୍ୱା ବାଧ୍ୟବାଧକତାରେ ଚାକିରି ଛାଡିବାକୁ ପଡୁଛି।
ପରିବାର ଓ ଚାକିରି: ଆମ ଦେଶରେ ବିବାହ ପରେ ଜଣେ ମହିଳା ନିଜ ଶାଶୂଘର ପରିବାରକୁ ଅଧିକ ପ୍ରାଧାନ୍ୟ ଦେଇଥାଏ। ଅନେକ ମହିଳା ପାରିବାରିକ ଜୀବନ ଓ ବୃତ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିପାରନ୍ତି ନାହିଁ।
କେତେକ ମହିଳାଙ୍କର ଏଥିପାଇଁ ଛାଡପତ୍ର ହୋଇଯାଏ। ତ ଆଉ କେତେକ ମହିଳା ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି। ଏକ ତଥ୍ୟରୁ ଜଣାପଡିଛି କି, ଭାରତୀୟ ମହିଳାଙ୍କ ପାଇଁ ବିବାହ ପରେ ଚାକିରି କରିବାର ହାର ଏକ ତୃତୀୟାଂଶ ହ୍ରାସ ପାଇଛି।
ପରିବାର ଦାୟିତ୍ୱ: ବିବାହ ପରେ ଜଣେ ମହିଳାଙ୍କ ଉପରେ ପରିବାରର ଦାୟିତ୍ୱ ବଢିଯାଏ। କର୍ମଜୀବୀ ମହିଳାଙ୍କ ପାଇଁ ଉଭୟ ପରିବାର ଓ ଚାକିରି ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବା କାଠିକର ପାଠ ହୋଇଥାଏ।
ଏଥିରେ ବିଫଳ ହୋଇ କେତେକ ମହିଳା ପରିବାରକୁ ପ୍ରାଥମିକତା ଦେଇ ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି। ଉଭୟ ମଧ୍ୟରେ ସନ୍ତୁଳନ ରକ୍ଷା କରି ଚାଲିଥିବା ଆଉ କେତେକ ମହିଳା ଯେବେ ମାତୃତ୍ୱ ଲାଭ କରନ୍ତି, ଉଭୟ ପରିବାର ଦାୟିତ୍ୱ ଓ ଛୁଆର ଯତ୍ନ ପାଇଁ ସମୟ ଅଭାବରୁ ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି।
ଲିଙ୍ଗଗତ ସମାନତା: ବିବାହ ପରେ ପ୍ରାୟ ୧୨% ମହିଳା ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି। ଅନ୍ୟପକ୍ଷରେ ପୁରୁଷ କର୍ମଜୀବୀଙ୍କ କ୍ଷେତ୍ରରେ ବିବାହ ପରେ ରୋଜଗାର ହାର ୧୩% ବୃଦ୍ଧି ପାଇଛି। ଯାହା ଲିଙ୍ଗଗତ ଅସମାନତାକୁ ଦର୍ଶାଉଛି।
ଭାରତ ପରି ଏକ ବିକାଶଶୀଳ ରାଷ୍ଟ୍ରରେ ଅଭିବୃଦ୍ଧି ପାଇଁ ପ୍ରତ୍ୟେକଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ତେଣୁ ମହିଳାଙ୍କୁ କର୍ମକ୍ଷେତ୍ରରୁ ବାଦ ଦେବା ଏକ ବୃହତ କ୍ଷତିର କାରଣ ହେବ। ଅଧ୍ୟୟନଗୁଡିକ କ୍ରମାଗତ ଭାବରେ ଦର୍ଶାଉଛି ଯେ ମହିଳାଙ୍କ ଅଂଶଗ୍ରହଣ ଭାରତର ଜିଡିପିକୁ ବହୁଗୁଣିତ କରିପାରିବ ଏବଂ ଦୀର୍ଘସ୍ଥାୟୀ ଅର୍ଥନୈତିକ ସ୍ଥିରତା ଆଣିବ।
ତେଣୁ ଲିଙ୍ଗଗତ ଅସମାନତାକୁ ଦୂର କରି ପରିବାର ଦାୟିତ୍ୱ ସମାନ ଭାବେ ଉଭୟ ମହିଳା ଓ ପୁରୁଷଙ୍କ ଉପରେ ନ୍ୟସ୍ତ ହେବା ଆବଶ୍ୟକ। ଏଥିନିମନ୍ତେ ବ୍ୟାପକ ସଚେତନତା ଅଭିଯାନ ଓ ଶିକ୍ଷା ଆବଶ୍ୟକ।
ମହିଳାଙ୍କ ପାଇଁ ମାତୃତ୍ୱ ଛୁଟି, ସୁହାଇବା ପରି କାର୍ଯ, ସମୟ ଏବଂ ସୁଲଭ ଶିଶୁ ଯତ୍ନ ସେବା ପ୍ରଦାନ କଲେ ମହିଳାଙ୍କ ଉପରେ ଚାପ କମିବ ଓ କର୍ମଜୀବୀ ମହିଳାଙ୍କ ସଂଖ୍ୟା ବୃଦ୍ଧିପାଇବ।