fbpx

ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଛୁଟି, ଜାଣନ୍ତୁ କେଉଁ ରାଜ୍ୟରେ କେବେ

ନୂଆଦିଲ୍ଲୀ: ଧୀରେ ଧୀରେ ଥଣ୍ଡା ବଢିବାରେ ଲାଗିଛି । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଥଣ୍ଡାରେ ଥରୁଛନ୍ତି । ସ୍କୁଲ ପିଲାଙ୍କୁ ଥଣ୍ଡା ବେଶୀ ଅସୁବିଧାରେ ପକାଇଥାଏ । କାରଣ ସେମାନଙ୍କୁ ସକାଳୁ ସକାଳୁ ଉଠି ପ୍ରସ୍ତୁତ ହୋଇ ସ୍କୁଲ ଯିବାକୁ ପଡିଥାଏ । ଏହାସହିତ ଅଭିଭାବକମାନଙ୍କୁ ବି ଥଣ୍ଡାକୁ ଖାତିର ନ କରି ସକାଳୁ ସକାଳୁ ପିଲାଙ୍କୁ ପ୍ରସ୍ତୁତ କରିବାକୁ ପଡିଥାଏ । ତେଣୁ ସମସ୍ତେ ଶୀତଛୁଟୀକୁ ଅପେକ୍ଷା କରି ରହିଥାନ୍ତି । ଏପରି ସ୍ଥିତିରେ ଅଧିକାଂଶ ରାଜ୍ୟରେ ଶୀତକାଳୀନ ଛୁଟୀ ଘୋଷଣା କରାସରିଲାଣି ।

ଦିଲ୍ଲୀରେ ଏହି ଛୁଟୀ ୧୫ ଦିନରୁ ହ୍ରାସ କରି ୬ ଦିନ କରାଯାଇଛି । କାରଣ ପ୍ରଦୂଷଣ କାରଣରୁ ଏଠାରେ ନଭେମ୍ବରରେ ଛୁଟୀ ଘୋଷଣା କରାଯାଇଥିଲା । ଦିଲ୍ଲୀ ଶିକ୍ଷା ବିଭାଗ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇ କୁହାଯାଇଛି କି ୨୦୨୩-୨୪ ଲାଗି ଶୀତକାଳୀନ ଅବକାଶ ୧.୧.୨୦୨୪ରୁ ୬.୦୧.୨୦୨୪ ପର୍ଯ୍ୟନ୍ତ ରହିବ । ଏହା ସହିତ ନୋଏଡା, ଗୁରୁଗ୍ରାମ, ଗାଜିଆବାଦ ସ୍କୁଲ ମଧ୍ୟ ଆଗାମୀ ଦିନରେ ବନ୍ଦ ହେବାକୁ ଯୋଜନା ପ୍ରସ୍ତୁତ ହେଉଛି ।

ରାଜସ୍ଥାନ ମାଧ୍ୟମିକ ଶିକ୍ଷା ବୋର୍ଡ ମଧ୍ୟ ଶୀତକାଳୀନ ଛୁଟୀ ତାରିଖ ଘୋଷଣା କରିଦେଇଛନ୍ତି । ରାଜ୍ୟରେ ସବୁ ସ୍କୁଲ ୨୫ ଡିସେମ୍ବରରୁ ବନ୍ଦ ରହିବ । ଏହା ସହିତ ଏଠାରେ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ବି ଘୋଷଣା ହୋଇଯାଇଛି । ଦିଲ୍ଲୀ ଓ ରାଜସ୍ଥାନ ବ୍ୟତିତ ଜାମ୍ମୁ ଶିକ୍ଷା ବୋର୍ଡ ମଧ୍ୟ ରାଜ୍ୟରେ ଶୀତକାଳୀନ ଛୁଟୀ ସମୟ ଘୋଷଣଶ କରି ଦେଇଛି । ରାଜ୍ୟରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ୧୧ଡିସେମ୍ବର ୨୦୨୩ରୁ ୨୯ ଫେବୃୟାରୀ ୨୦୨୪ ପର୍ଯ୍ୟନ୍ତ ବନ୍ଦ ରହିବ । ସେହିପରି ଉତ୍ତରପ୍ରଦେଶରେ ୩୧ ଡିସେମ୍ବର ଠାରୁ ୧୪ ଜାନୁୟାରୀ ପର୍ଯ୍ୟନ୍ତ ସ୍କୁଲରେ ଶୀତକାଳୀନ ଛୁଟୀ ରହିବ ।

Get real time updates directly on you device, subscribe now.