fbpx

ODI WC-2023; ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମହାମୁକାବିଲା: ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ବଦଳିଯାଇଛି ଭାରତ-ପାକିସ୍ତାନ ମ୍ୟାଚର ତାରିଖ । ଗୁଜୁରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁ ଥିବା ଏହି ମହାମୁକାବିଲା ପାଇଁ ଆଉ ଏକନୂଆ ତାରିଖ ଘୋଷଣା ହୋଇଯାଇଛି । ନବରାତ୍ରୀ ପର୍ବ ଯୋଗୁଁ ଖେଳାଳିଙ୍କ ସୁରକ୍ଷା ଉପରେ ଏହାର ପ୍ରଭାବ ପଡ଼ିପାରେ । ତେଣୁ ଖେଳାଳିମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ମହାମୁକାବିଲାର ତାରିଖ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସୁରକ୍ଷା ଏଜେନ୍ସି ତରଫରୁ ବିସିସିଆଇ ଅଧିକାରୀଙ୍କ ସହ ଏ ନେଇ ଆଲୋଚନା କରାଯାଇଥିଲା । ଏହାପରେ ବିସିସିଆଇ ହାଇ ଭୋଲ୍ଟେଜ ମ୍ୟାଚ ପାଇଁ ନୂଆ ତାରିଖ ଘୋଷଣା ହେବାକୁ ଯାଉଛି ।

ରିପୋର୍ଟ ଅନୁସାରେ, ଦିନିକିଆ ବିଶ୍ୱକପ ଭାରତ-ପାକିସ୍ତାନ ମହାମୁକାବିଲା ଅକ୍ଟୋବର ୧୫ ତାରିଖ ପରିବର୍ତ୍ତେ ଅନ୍ୟ ତାରିଖରେ ଖେଳାଯିବ । ତେବେ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୧୪ ତାରିଖରେ ଏହି ମ୍ୟାଚ ଖେଳାଯାଇପାରେ । ତେବେ ଏହି ଦିନ ୨ଟି ମ୍ୟାଚ ଖେଳାଯିବାର ସୂଚୀ ରହିଛି । ତେଣୁ ଗୋଟିଏ ଦିନରେ ୩ଟି ମ୍ୟାଚ ଖେଳାଯିବା କେତେ ଦୂର ସମ୍ଭବ ତାହା ଉପରେ ଚର୍ଚ୍ଚା ଲାଗି ରହିଛି । ପ୍ରଥମ ମ୍ୟାଚରେ ବାଂଲାଦେଶ-ନ୍ୟୁଜିଲାଣ୍ଡ ଏବଂ ଦ୍ୱିତୀୟ ମ୍ୟାଚରେ ଏହି ଦିନ ମୁହାଁମୁହିଁ ହେବାକୁ ଯାଉଛନ୍ତି ଆଫଗାନିସ୍ତାନ ଏବଂ ଇଂଲଣ୍ଡ । ତେଣୁ ଭାରତ-ପାକିସ୍ତାନ ମ୍ୟାଚକୁ ଦୃଷ୍ଟିରେ ରଖି ଏହି ଦୁଇ ମ୍ୟାଚରେ ପରିବର୍ତ୍ତନ ହେବାର ଆଶଙ୍କା କରାଯାଉଛି ।

ତେବେ କେବଳ ଭାରତ-ପାକ୍ ମ୍ୟାଚ ନୁହେଁ, ଏହାବ୍ୟତୀତ ଅନ୍ୟ କିଛି ମ୍ୟାଚର ତାରିଖ ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି ଅନୁମାନ କରାଯାଉଛି । କିଛି ଦିନ ତଳେ ୩ଟି ଦେଶ ସୂଚୀରେ ପରିବର୍ତ୍ତନ କରିବା ପାଇଁ ଆଇସିସିକୁ ପତ୍ର ଲେଖିଥିବା କହିଛନ୍ତି ବିସିସିଆଇ ସଚିବ ଜୟ ଶାହ । ତେବେ ଏହି ମ୍ୟାଚ ଗୁଡ଼ିକର କୌଣସି ସ୍ଥାନ ପରିବର୍ତ୍ତନ କରାଯିବ ନାହିଁ । ବିଶ୍ୱକପରେ ପ୍ରତ୍ୟେକ ମ୍ୟାଚ ଧାର୍ଯ୍ୟ ସୂଚୀ ଅନୁସାରେ ଖେଳାଯିବ । କିନ୍ତୁ କିଛିଟା ମ୍ୟାଚରେ ପରିବର୍ତ୍ତନ କରାଯିବା ନେଇ ଆଶଙ୍କା କରାଯାଉଛି ।

ସୂଚନା ଥାଉ କି , ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ପ୍ରଥମ ମ୍ୟାଚ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଅକ୍ଟୋବର ୮ ତାରିଖରେ ଭାରତ ନିଜର ପ୍ରଥମ ମ୍ୟାଚ ଖେଳିବ । ଚେନ୍ନାଇ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଟିମ ଇଣ୍ଡିଆ । ବିଶ୍ୱକପ ଆୟୋଜନ ପାଇଁ ଭାରତର ସର୍ବଶ୍ରେଷ୍ଠ ୧୦ଟି ଷ୍ଟାଡିୟମକୁ ଚୟନ କରାଯାଇଛି ।

Get real time updates directly on you device, subscribe now.