fbpx

କେବେ ନୂଆ କୋଚ ପାଇବ Team India? ଦୁଇ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା: କାହାକୁ ଦାୟିତ୍ୱ ଦେବ BCCI?

Advertisement

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ-୨୦୨୪ ସହିତ ଶେଷ ହୋଇଛି ଟିମ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ସେପଟେ ଭାରତୀୟ କ୍ରିକେଟ ବୋର୍ଡ ତରଫରୁ ନୂଆ ମୁଖ୍ୟ କୋଚ୍ ପଦବୀ ପାଇଁ ନିଷ୍ପତ୍ତି ମଧ୍ୟ ନିଆସରିଛି । ତେବେ ଏ ନେଇ ଖୁବଶୀଘ୍ର ଘୋଷଣା ହୋଇପାରେ । ରାହୁଲ ଦ୍ରାବିଡଙ୍କ ପରେ କିଏ ହେବେ ଦଳର ନୂଆ କୋଚ୍, ସେ ନେଇ ଖୁବ କମ୍ ଦିନ ମଧ୍ୟରେ ଘୋଷଣା କରିବ ବିସିସିଆଇ । ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଏହି ଦୌଡ଼ରେ ଖୁବ ଆଗରେ ରହିଛନ୍ତି । ତେବେ ବୋର୍ଡ କାହା ନାମରେ ମୋହର ମାରିବ ଶ୍ରୀଲଙ୍କା ବିପକ୍ଷ ସିରିଜ ପୂର୍ବରୁ ଏହାର ଘୋଷଣା କରାଯିବା ନେଇ ସୂଚନା ଦେଇଛନ୍ତି ସଚିବ ଜୟ ଶାହ ।

କୋଚଙ୍କ ନିଯୁକ୍ତି ନେଇ ଜୟ ଶାହ କହିଛନ୍ତି ଯେ, ଖୁବଶୀଘ୍ର କୋଚ୍ ଏବଂ ଚୟନକର୍ତ୍ତାଙ୍କ ନିଯୁକ୍ତି କରାଯିବ । ସିଏସି ଦୁଇ ଜଣ ଆଶାୟୀଙ୍କ ଇଣ୍ଟରଭ୍ୟୁ ନେଇଛନ୍ତି ଏବଂ ମୁମ୍ବାଇ ଯିବା ପରେ ଏହାର ନିଷ୍ପତ୍ତି ଘୋଷଣା କରାଯିବ । ତେବେ ଜିମ୍ବାୱେ ବିପକ୍ଷ ସିରିଜ ପାଇଁ ଭିଭିଏସ ଲକ୍ଷ୍ମଣ ଟିମ ଇଣ୍ଡିଆ ସହ ଗସ୍ତ କରିବେ । କିନ୍ତୁ ଦଳର ନୂଆ କୋଚ୍ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଦାୟିତ୍ୱ ଗ୍ରହଣ କରିବେ । କୋଚ୍ ପଦବୀ ପାଇଁ ପୂର୍ବତନ ଷ୍ଟାର କ୍ରିକେଟର ଗୌତମ ଗମ୍ଭୀରଙ୍କ ନାଁ ବେଶ୍ ଚର୍ଚ୍ଚାରେ ରହିଥିବା ବେଳେ ଭାରତୀୟ ମହିଳା ଟିମର ପୂର୍ବତନ କୋଚ୍ ଡବ୍ଲୁ. ବି ରମଣଙ୍କ ନାମ ମଧ୍ୟ ଏହି ଦୌଡ଼ରେ ସାମିଲ ରହିଛି । ଭାରତ ଚଳିତବର୍ଷ ୧୧ ବର୍ଷ ପରେ ପ୍ରଥମ ଆଇସିସି ଟ୍ରଫି ଉପରେ କବଜା କରିଛି । ଦ୍ରାବିଡଙ୍କ ତତ୍ତ୍ୱାବଧାନରେ ଏବଂ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ ୧୭ ବର୍ଷ ପରେ ଦ୍ୱିତୀୟ ଟି-୨୦ ବିଶ୍ୱକପ ହାସଲ କରିଛି ।

ତେବେ ବିଶ୍ୱକପ ପରେ ରୋହିତ ଦଳରୁ ଅବସର ନେଇଥିବା ବେଳେ ପରବର୍ତ୍ତୀ ଅଦିନାୟକଙ୍କ ନେଇ ମଧ୍ୟ ସୂଚନା ଦେଇଛନ୍ତି ଜୟ ଶାହ । ରୋହିତଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ ଇଣ୍ଡିଆର ଟି-୨୦ ଅଧିନାୟକ ହୋଇପାରନ୍ତି । ତେବେ ଏହି ପଦର ନିଷ୍ପତ୍ତି ନେବେ ଭାରତୀୟ ଦଳର ଚୟନକର୍ତ୍ତା । ଏ ସମ୍ପର୍କରେ ଆଲୋଚନା କରିବା ପରେ ଘୋଷଣା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖରାପ ଫର୍ମକୁ ନେଇ ଅନେକ ଆଲୋଚନା ହେଉଥିବା ବେଳେ ବୋର୍ଡ ତାଙ୍କ ଉପରେ ଭରସା କରିଥିଲା । ଯାହାର ପରିଣାମରେ ଭାରତକୁ ବିଶ୍ୱବିଜୟୀ କରାଇବାରେ(ଫାଇନାଲ) ହାର୍ଦ୍ଦିକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହାବ୍ୟତୀତ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅଲରାଉଣ୍ଡ ପ୍ରଦର୍ଶନ କରି ସେ ନିଜର ଦକ୍ଷତାକୁ ପ୍ରମାଣ କରିଛନ୍ତି ।

Get real time updates directly on you device, subscribe now.