fbpx

U19 ବିଶ୍ୱକପରେ କେଉଁ ଖେଳାଳିଙ୍କ ନାଁରେ ସର୍ବାଧିକ ରନ୍-ୱିକେଟ? Topରେ ଜଣେ ମାତ୍ର ଭାରତୀୟ

Advertisement

ଓଡ଼ିଶା ଭାସ୍କର: ଅଣ୍ଡର-୧୯ ବିଶ୍ୱକପରେ ଭାରତକୁ ପରାସ୍ତ କରି ଚତୁର୍ଥ ଥର ଚମ୍ପିଆନ୍ ହୋଇଛି ଅଷ୍ଟ୍ରେଲିଆ । ୭୯ ରନରେ ଟିମ ଇଣ୍ଡିଆକୁ ମାତ୍ ଦେଇ ଦଳ ୬ ବର୍ଷର ପୁରୁଣା ପ୍ରତିଶୋଧ ନେଇଛି । ତେବେ ସମ୍ପୂର୍ଣ୍ଣ ବିଶ୍ୱକପରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ପ୍ରଦର୍ଶନ ଖୁବ ସୁନ୍ଦର ରହିଛି । ଅଷ୍ଟ୍ରେଲିଆକୁ ବିଶ୍ୱବିଜୟୀ କରାଇବାରେ ସମସ୍ତ ଖେଳାଳି ପ୍ରମୁଖ ଭୂମିକା ତୁଲାଇଛନ୍ତି । ଏହାପରେ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ ଏବଂ ୱିକେଟ ହାସଲ କରିବା ତାଲିକାର ଶୀର୍ଷ ସ୍ଥାନ ପାଇ ନାହାନ୍ତି ଅଷ୍ଟ୍ରେଲୀୟ କ୍ରିକେଟର । ତେବେ ବିଶ୍ୱକପରେ କିଏ ସବୁଠାରୁ ଅଧିକ ରନ୍ କରିଛନ୍ତ ଏବଂ କାହା ନାମରେ ରହିଛି ସର୍ବାଧିକ ୱିକେଟ?

ଅଣ୍ଡର-୧୯ ବିଶ୍ୱକପ ୨୦୨୪ରେ ସର୍ବାଧିକ ରନ୍ କରିଥିବା ଖେଳାଳିଙ୍କ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଭାରତୀୟ ଅଧିନାୟକ ଉଦୟ ସହାରନ୍ । ୭ଟି ମ୍ୟାଚରୁ ଗୋଟିଏ ଶତକ ଏବଂ ୩ ଅର୍ଦ୍ଧଶତକ ସହ ଉଦୟ ଟୁର୍ଣ୍ଣାମେଣ୍ଟରୁ ମୋଟ ୩୯୭ ରନ୍ ସଂଗ୍ରହ କରିଛନ୍ତି । ତାଙ୍କ ସହିତ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ମୁସୀର ଖାନ୍(୩୬୦) ଏବଂ ସଚିନ୍ ଦାସ(୩୦୩) ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଏହାବ୍ୟତୀତ ଅଷ୍ଟ୍ରେଲିଆର ହେରୀ ଡିକ୍ସନ(୩୦୯) ଏବଂ ଅଧିନାୟକ ହ୍ୟୁଗ ୱିବଗେନ(୩୦୪) ସର୍ବାଧିକ ରନ୍ କରିବା ତାଲିକାରେ ସାମିଲ ରହିଛନ୍ତି ।

ଅଣ୍ଡ-୧୯ ବିଶ୍ୱକପରେ ସର୍ବାଧିକ ୱିକେଟ ନେବା ତାଲିକାରେ ଦକ୍ଷିଣ ଆଫ୍ରିକାର ଷ୍ଟାର ବୋଲର ରାଜୁତି କରିଛନ୍ତି । ଆୟୋଜକ ଦଳର ଷ୍ଟାର ବୋଲର କ୍ୱେନୋ ମଫାକା ଟୁର୍ଣ୍ଣାମେଣ୍ଟରେ ମୋଟ ୨୧ଟି ୱିକେଟ ହାସଲ କରି ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ବିଶ୍ୱକପରେ ୨ ଥର ୫ ୱିକେଟ ହଲ୍ ନେଇଥିବା ବେଳେ ଗୋଟିଏ ଇନିଂସରେ ୬ଟି ସଫଳତା ପାଇଛନ୍ତି ମଫାକା । ସେମିଫାଇନାଲ ମ୍ୟାଚରେ ଭାରତ ବିପକ୍ଷରେ ମଧ୍ୟ ସେ ଦମଦାର ବୋଲିଂ କରିଥିଲେ । ତେବେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ ହାସଲ କରିବା ତାଲିକାରେ କେବଳ ଜଣେ ଭାରତୀୟ ସାମିଲ ରହିଛନ୍ତି । ବିଶ୍ୱକପରେ ୧୮ଟି ୱିକେଟ ସହ ଟପ୍-୫ରେ ଏକମାତ୍ର ଭାରତୀୟ ଭାବରେ ସ୍ଥାନ ପାଇଛନ୍ତି ସୌମ୍ୟ ପାଣ୍ଡେ । ଏହାବ୍ୟତୀତ ଉବୈଦ ଶାହ(୧୮), ତଜୀମ ଅଲୀ(୧୪) ଏବଂ କେଲମ ବିଡଲର(୧୪) ଏହି ତାଲିକାର ରହିଛନ୍ତି ।

Get real time updates directly on you device, subscribe now.